Arun Sahoo: ଅରୁଣଙ୍କ ବେଦନା ଓ ବିପ୍ଳବର କାହାଣୀ – ନିଚ୍ଛକ ନା ତୁଚ୍ଛା ଅଭିନୟ?

୨୦୧୨ ମସିହାରେ ତଥା କଥିତ ମିଡ୍ ନାଇଟ୍ ଅପେରସନ ପରେ ସେ ଏଭଳି ନିଜର ରଙ୍ଗ ବଦଳାଇଥିଲେ ଯେ ସମସ୍ତେ ଭାବିଥିଲେ ଯେ ସେ ପ୍ୟାରୀଙ୍କର ନୁହେଁ, ନବୀନ ପଟ୍ଟନାୟକଙ୍କର ଏକାନ୍ତ ଅନୁଗତ । ଏହି କ୍ରମରେ ଅରୁଣଙ୍କର ରାଜନୈତିକ କ୍ୟାରିୟରରେ କୌଣସି ଭଟ୍ଟା

08 September 2025 06:50 PM IST
Arun Sahoo: ଅରୁଣଙ୍କ ବେଦନା ଓ ବିପ୍ଳବର କାହାଣୀ – ନିଚ୍ଛକ ନା ତୁଚ୍ଛା ଅଭିନୟ?

୨୦୧୨ ମସିହାରେ ତଥା କଥିତ ମିଡ୍ ନାଇଟ୍ ଅପେରସନ ପରେ ସେ ଏଭଳି ନିଜର ରଙ୍ଗ ବଦଳାଇଥିଲେ ଯେ ସମସ୍ତେ ଭାବିଥିଲେ ଯେ ସେ ପ୍ୟାରୀଙ୍କର ନୁହେଁ, ନବୀନ ପଟ୍ଟନାୟକଙ୍କର ଏକାନ୍ତ ଅନୁଗତ । ଏହି କ୍ରମରେ ଅରୁଣଙ୍କର ରାଜନୈତିକ କ୍ୟାରିୟରରେ କୌଣସି ଭଟ୍ଟା ପଡ଼ିନଥିଲା ।

ବିଜୁ ଜନତା ଦଳର ଅନ୍ୟତମ ବରିଷ୍ଠ ନେତା ହେଲେ ଡକ୍ଟର ଅରୁଣ କୁମାର ସାହୁ। ଓଡ଼ିଶା ରାଜନୀତିରେ ଯେଉଁ କେତେକ ବ୍ୟକ୍ତି ଛାତ୍ର ରାଜନୀତିରୁ ଉପରକୁ ଆସି ରାଜ୍ୟ ରାଜନୀତିରେ ସଫଳ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ସେ ଅନ୍ୟତମ।

ଚଳିତ ଶତାବ୍ଦୀର ପ୍ରାରମ୍ଭରେ ଅରୁଣ ଆନୁଷ୍ଠାନିକ ଭାବେ ତାଙ୍କର ରାଜ୍ୟ ରାଜନୀତିର କ୍ୟାରିୟର ଆରମ୍ଭ କରିଥିଲେ। ସେତେବେଳେ ନୂଆ କରି ଗଢ଼ା ଯାଇଥିବା ବିଜୁ ଜନତା (BJD) ଦଳରୁ ସେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଚାହିଁଥିଲେ। ୨୦୦୦ ମସିହାରେ ସେ ଛାତ୍ର ବିଜେଡିରେ ସକ୍ରିୟ ଥିଲେ। କାରଣ, ସେତେବେଳେ ନୟାଗଡ଼ ବିଜୁ ଜନତା ଦଳ ରାଜନୀତିରେ ଭାଗବତ ବେହେରା ଥିଲେ ଜଣେ ତୁଙ୍ଗ ବ୍ୟକ୍ତିତ୍ୱ। ଭାଗବତ ବେହେରାଙ୍କ ମୃତ୍ୟ ପରେ, ତାଙ୍କର ପତ୍ନୀ ମନ୍ଦାକିନୀ ବେହେରାଙ୍କୁ ଦଳର ସଭାପତି ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ୍ ଦେଇ ଉପନିର୍ବାଚନରେ ଜିତାଇ ଆଣିଲେ।

ଅରୁଣଙ୍କ ପ୍ରକୃତ ରାଜନୈତିକ ଉଦୟ ହେଲା ୨୦୦୪ ମସିହାରେ। ତାଙ୍କୁ ବିଜୁ ଜନତା ଦଳ ଟିକେଟ୍ ମିଳିଲା ଏବଂ ସେ ଜିତି କରିଆସିଲେ। ପ୍ୟାରୀଙ୍କର ଏକାନ୍ତ ଅନୁଗତମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ଘଡେଇ, ଅତନୁ ସବ୍ୟସାଚୀ ନାୟକ, ସଂଜୟ ଦାସବର୍ମା ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଭଳି ଯେଉଁ କେତେଜଣ ସର୍ବାଗ୍ରେ ଥିଲେ, ସେମାନଙ୍କ ମଧ୍ୟରେ ଅରୁଣ ଥିଲେ ଅନ୍ୟତମ। ତାଙ୍କର ଆଶୀର୍ବାଦରେ ସେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ହେଲେ। ୨୦୧୨ ମସିହାରେ ତଥା କଥିତ ମିଡ୍ ନାଇଟ୍ ଅପେରସନ ପରେ ସେ ଏଭଳି ନିଜର ରଙ୍ଗ ବଦଳାଇଥିଲେ ଯେ, ସମସ୍ତେ ଭାବିଥିଲେ ଯେ ସେ ପ୍ୟାରୀଙ୍କର ନୁହେଁ, ନବୀନ ପଟ୍ଟନାୟକଙ୍କର ଏକାନ୍ତ ଅନୁଗତ। ଏହି କ୍ରମରେ ଅରୁଣଙ୍କର ରାଜନୈତିକ କ୍ୟାରିୟରରେ କୌଣସି ଭଟ୍ଟା ପଡ଼ିନଥିଲା।

ପ୍ୟାରୀ ଓ ପାଣ୍ଡିଆନ୍‌ଙ୍କ ସମୟରେ ଅରୁଣଙ୍କୁ ନିର୍ବାଚନ ମୈଦାନରେ ବେଶ୍ ଉପଯୋଗ କରାଯାଉଥିଲା। ବିଶେଷ କରି ପାଟକୁରା ଓ ମହାକଳାପଡ଼ା ନିର୍ବାଚନ ସମୟରେ ବିଜୟ ମହାପାତ୍ରଙ୍କ ବିରୋଧରେ ପ୍ରଚାର କରିବା ପାଇଁ ତାଙ୍କୁ ନିୟୋଜିତ କରାଯାଉଥିଲା। ବିଜୟଙ୍କ ବିରୋଧରେ ଅତନୁଙ୍କ ସହିତ ସେ କାନ୍ଧକୁ କାନ୍ଧ ମିଳାଇ ତାଙ୍କୁ ବିଧାନସଭାରୁ ଦୂରେଇ ରଖିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ଏଥର ଆସିବା ଅରୁଣଙ୍କର ନୟାଗଡ଼ ସହରରେ ଅନୁଷ୍ଠିତ ‘ଭକ୍ତିପୂତ ପ୍ରଣାମ’ ସାହିତ୍ୟସଭାରେ ନିଜର ଯେଉଁ ଉଚ୍ଛ୍ୱାସର ପରିପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବେଳେବେଳେ ଇଚ୍ଛା ନଥିଲେ ବା ବିବେକ ତଥା ହୃଦୟର ନିର୍ଦ୍ଦେଶ ବିରୋଧରେ ଯାଇ କିଛି ବ୍ୟକ୍ତିଙ୍କୁ ଶ୍ରେଷ୍ଠ, ଦକ୍ଷ ଓ ପାରଦର୍ଶୀ ବୋଲି କହିବାକୁ ପଡ଼େ। ରାଜନୀତିରେ ଏହଭଳି ଆଚରଣ କଲାବେଳେ ଅନ୍ତରାତ୍ମାକୁ ବେଶ୍ କଷ୍ଟ ହୁଏ ଓ ଆତ୍ମା ବିଳପି ଉଠେ। ମନରେ ବିଦ୍ରୋହ ଜାତ ହୁଏ। ଅରୁଣ କହିଛନ୍ତି ଯେ, ସେ ଏଭଳି ଆଚରଣକୁ ଆଉ ବେଶି ଦିନ ସହ୍ୟ କରିବେ ନାହିଁ। ଏକ ବିଦ୍ରୋହର ସୂତ୍ରପାତ କରିବେ ଏବଂ ସେ ତା’ର ନେତୃତ୍ୱ ନେବେ।

ସଭାରେ ଅରୁଣ କହିଲେ ଯେ, କୌଣସି ଶିକ୍ଷକ କେବେ ଛାତ୍ରଛାତ୍ରୀମାନଙ୍କୁ ଦୁର୍ନୀତିଗ୍ରସ୍ତ ହେବା ପାଇଁ କୁହନ୍ତି ନାହିଁ କିମ୍ବା ଆବଶ୍ୟକତାଠାରୁ ଅଧିକ ଧନ ଆହରଣ କରିବା ପାଇଁ ମଧ୍ୟ ପ୍ରବର୍ତ୍ତାଇ ନଥାନ୍ତି। ଏହାଛଡ଼ା ଶିକ୍ଷକ ମଧ୍ୟ ଛାତ୍ର ବା ଛାତ୍ରୀଟିକୁ ଅତ୍ୟାଚାରୀ ବା ଭ୍ରଷ୍ଟାଚାରୀ ହେବାକୁ କୁହନ୍ତି ନାହିଁ। କିନ୍ତୁ ଦେଖାଗଲା କିଛି ଲୋକ ଏହିଭଳି ଅତ୍ୟାଚାରୀ ଓ ଭ୍ରଷ୍ଟାଚାରୀ ହେଲେ ଏବଂ ଆବଶ୍ୟକତା ଠାରୁ ଅଧିକ ଅର୍ଥ ହରଣ କରିବା ପାଇଁ ଲାଗିପଡ଼ିଲେ।

ଭାଷଣ ଯେତେ ଆଗକୁ ବଢ଼ୁଥିଲା, ଅରୁଣଙ୍କ ଭାବବିହ୍ୱଳତାର ଗତି ରେଳଗାଡ଼ିର ଗତି ପରି ଛୁକୁଛୁକୁ ହୋଇ ବଢି ଚାଲିଥିଲା। ତାଙ୍କ ଭାଷଣର ସବୁଠାରୁ ଗୁରତ୍ୱପୂର୍ଣ୍ଣ ଧାଡ଼ିଥିଲା: “ଏହିସବୁ କଥା ବିଶ୍ଳେଷଣ କଲାବେଳେ ମୋ’ ମନରେ ବିଦ୍ରୋହର ଦାବାନଳ ଉଠୁଛି– ମନ ଭିତରେ ଏକ ବିପ୍ଳବ ତିଆରି ହେଉଛି। ପୁଣି ଜାଳିପୋଡ଼ି ଦେବାକୁ ଇଛା ହେଉଛି। ମୁଁ ସେହିପରି ଏକ ଚରିତ୍ରରେ ଗଢ଼ା। ମନ ଭିତରରେ ଅସମ୍ଭବ ନିରବତାର ଏକ ଝଡ଼ ସୃଷ୍ଟି ହେଉଛି।”

ଅରୁଣଙ୍କ ଭାବବିହ୍ୱଳତା ତାଙ୍କ ଅନ୍ତରର ନିଚ୍ଛକ ଉଚ୍ଛ୍ୱାସ ଥିଲା କି ଜଣେ ରାଜନେତାର ଚାତୁରୀପୂର୍ଣ୍ଣ ସ୍ୱର ପରିଚାଳନା ବା ଭଏସ୍ ମଡୁଲେସନ୍ ଥିଲା, ତାହା ସମୟ କହିବ । ସେ ସ୍ପଷ୍ଟ କରି କହିଲେ ନାହିଁ — କିଏ ସେହି ଅତ୍ୟାଚରୀ ଏବଂ ଭ୍ରଷ୍ଟାଚାରୀ ? କିଏ ଆବଶ୍ୟକତା ଠାରୁ ଅଧିକ ଧନ, ସମ୍ମାନ ଓ ସମ୍ପତ୍ତି ଆହରଣରେ ଲାଗିଥିବା ବ୍ୟକ୍ତି ?

ଅନ୍ୟାୟ ଅନୀତି ଉପାୟରେ ଯେତେ ଉପରକୁ ଗଲେ ଜଣେ ବ୍ୟକ୍ତି ସମ୍ମାନୀୟ ହୋଇପାରିବ ନାହିଁ। ତାକୁ ସମାଜ ସ୍ୱୀକୃତି ଦେବ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ଅରୁଣଙ୍କ ୫୪ ମନିଟ୍ ୩୬ ସେକେଣ୍ଡର ଭାଷଣ ଅନେକ ଦାର୍ଶନିକଧର୍ମୀ ବାକ୍ୟରେ ଭର୍ତ୍ତି ହୋଇ ରହିଥିଲା। ଗୁରୁଶିଷ୍ୟ ପରମ୍ପରା, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଓ ସଂସ୍କାରଧର୍ମୀ ପରାମର୍ଶରେ ପୂରା ତାଙ୍କର ଭାଷଣ ପରିପୂର୍ଣ୍ଣ ଥିଲା।

ପୂର୍ବରୁ ଅରୁଣଙ୍କର ପ୍ୟାରୀମୋହନ ମହାପାତ୍ର ଓ ନବୀନଙ୍କର ଏକାନ୍ତ ଅନୁଗତ ସହଯୋଗୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହିତ ବେଶ୍ ରାଜନୈତିକ ରାସାୟନିକ ସମ୍ମନ୍ୱୟ ବା ପଲିଟିକାଲ କେମିଷ୍ଟ୍ରି ରହିଥିଲା। ପ୍ୟାରୀ ଏବେ ପରଲୋକରେ। ପାଣ୍ଡିଆନଙ୍କ ସହିତ ତାଙ୍କର ଡିକେମିଷ୍ଟ୍ରି ସମ୍ମନ୍ୱୟ କିପରି ଛିନ୍ନ ହେଲା ବା ହେବାକୁ ଯାଉଛି, ସେ ନେଇ ବର୍ତ୍ତମାନ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା।

କିଛି ରାଜନୈତିକ ବିଶେଷଜ୍ଞମାନଙ୍କ କହିବା କଥା ଯେ ଅରୁଣ ଜଣେ ଚତୁର ରାଜନେତା। ସେ ଭଲ ଭାବରେ ଜାଣିସାରିଛନ୍ତି ଯେ କିଛି ସ୍ୱାଧୀନଚେତା ତଥା ସ୍ୱାଭିମାନୀ ଓଡ଼ିଆ ନେତାମାନଙ୍କ ଦ୍ୱାରା ଗଠିତ ବିଜୁ ଜନତା ଦଳକୁ ନବୀନ ପଟ୍ଟନାୟକ ଏକ ପ୍ରକାର ‘ୱାନ୍ ମ୍ୟାନ ସୋ’ ବା ଗୋଟିଏ ଲୋକର ଦଳ ଭାବରେ ପ୍ରଦର୍ଶିତ କରିସାରିଛନ୍ତି। ଏହି ଦଳକୁ ସେ କେତେବେଳେ ପ୍ୟାରୀମୋହନ ମହାପାତ୍ର ତ କେତେବେଳେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ଦ୍ୱାରା ପରିଚାଳିତ କରିଛନ୍ତି । ତାଙ୍କର ଏତାଦୃଶ କାର୍ଯ୍ୟକୁ ଲୋକେ ଧିରେଧିରେ ନାପସନ୍ଦ କଲେ ଏବଂ ଶେଷରେ ୨୦୨୪ରେ କ୍ଷମତାରୁ ବିଦା କରିଦେଲେ।

ବିଜୁ ଜନତା ଦଳ ଏବେ ସନ୍ୟାସ ନେଇଥିବା ପାଣ୍ଡିଆନ୍‌ଙ୍କ ନିୟନ୍ତ୍ରଣରେ ଥିବା ନେଇ ଦଳର ଅନେକ ବର୍ଷିୟାନ ନେତାମାନେ ବିଭିନ୍ନ ସମୟରେ ମତ ଦେଇଛନ୍ତି। ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନହେଲେ ଏହି ଦଳ ଆଉ ଜନସାଧାରଣଙ୍କର ଆସ୍ଥା ଓ ବିଶ୍ୱାସ ଫେରିପାଇବ ନାହିଁ ବୋଲି ସେ ଠିକ୍ ଜାଣିଛନ୍ତି। ଏବେ ବିଜେଡ଼ିର ଗଡ଼ ବିଭିନ୍ନ ସ୍ଥାନରେ ଭୂଶୁଡ଼ିବାରେ ଲାଗିଛି। ଏ ପରିସ୍ଥିତିରେ ନିଜକୁ ଟିକିଏ ଭିନ୍ନ ଶୈଳୀରେ ନଦେଖାଇଲେ, ନିଜର ରାଜନୈତିକ ଅସ୍ଥିତ୍ୱ ରକ୍ଷା କରିବା କଷ୍ଟ ହୋଇପଡ଼ିବ ଏବଂ ସେଲିଂ ପ୍ରପୋଜିସନ୍ ବା ରାଜନୈତିକ ଗ୍ରହଣୀୟତାରେ ହ୍ରାସ ଘଟିବ।

ପୂର୍ବରୁ ବିଜୁ ଜନତା ଦଳ ବିଜେପିର ‘ଅସ୍ମିତା’ ପ୍ରସଙ୍ଗକୁ ପ୍ରତିରୋଧ ନକରିପାରି ହାରିଥିଲା ବୋଲି ସ୍ୱୀକାର କରିଥିବା ଅରୁଣ ଅନେକ ସମୟରେ କିଛି ରାଜନୀତିଆ କଥା କହି ଦଳକୁ ଏକ ଅଡ଼ୁଆ ପରିସ୍ଥିତିରେ ପକାଇଥାନ୍ତି। ଏହାଦ୍ୱାରା ସେ ମିଡ଼ିଆରେ ଚର୍ଚ୍ଚାରେ ରହିବା ସହିତ ନିଜର ସ୍ୱତନ୍ତ୍ର ପରିଚୟ ରକ୍ଷା କରିବାରେ ସମର୍ଥ ହୋଇଥାନ୍ତି।

ଅତୀତରେ ଯେଉଁମାନେ ନବୀନଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି, ସେମାନେ କେହି ସଫଳତା ପାଇନାହାଁନ୍ତି। ସେମାନଙ୍କ ଭିତରୁ ଅନେକଙ୍କ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ବା ପଡ଼ିବାକୁ ଯାଉଛି। ଏବେ ଦେଖିବାର କଥା, ଅରୁଣ ସତରେ ବିପ୍ଳବ ଓ ବିଦ୍ରୋହ କରିବାର ଦମ୍ ରଖୁଛନ୍ତି ନା ସାହିତ୍ୟ ତଥା ରାଜନୈତିକ ବୟାନବାଜି କରି ନିଜର ରାଜନୈତିକ ସତ୍ତା ରଖିବା ପାଇଁ ନୂଆ ଏକ କୌଶଳ ଆପଣାଇଛନ୍ତି।

Disclaimer: This content has been automatically aggregated from television for informational purposes. To read the original article, please visit television.