01 AUGUST 2026

Welcome!

Unlock your personalized experience.
Sign Up

Anasevayat: ଯିଏ ଟଙ୍କା ଦେଲା, ଆଖିରେ ଆଙ୍ଗୁଠି ଗେଞ୍ଜି ଠାକୁରଙ୍କୁ ଛୁଇଁଲେ... ସହାୟକଙ୍କ ସେବାୟତ ବେଶ କାହିଁକି ?

Aug 01, 2026 - 10:09
Anasevayat: ଯିଏ ଟଙ୍କା ଦେଲା, ଆଖିରେ ଆଙ୍ଗୁଠି ଗେଞ୍ଜି ଠାକୁରଙ୍କୁ ଛୁଇଁଲେ... ସହାୟକଙ୍କ ସେବାୟତ ବେଶ କାହିଁକି ?

ପୁରୀ,୦୧/୦୮: ଭକ୍ତର ଭଗବାନ ।  ଏକଥା କେବଳ କହିବାକୁ । ଅସଲରେ ଯାହା  ପାଖରେ ପୁଳାପୁଳା ଟଙ୍କା ସିଏ ଠାକୁରଙ୍କ ନିକଟକୁ ଯିବେ ଓ ସ୍ପର୍ଶ ମଧ୍ୟ କରିପାରିବେ । ହଜାର ହଜାର ଟଙ୍କାରେ ପାସ୍‌ କିଣି ରଥରେ ପତିଆରା ଦେଖାଇଲେ ଧନୀ ବ୍ୟକ୍ତି । ସାଧାରଣ ଭକ୍ତ ଆସିଲେ ଆଗେ ଧକ୍କା ପରେ ଦର୍ଶନ । ଚଳିତ ବର୍ଷ ରଥ ଯାତ୍ରାରେ ମନଇଛା ପାସ୍‌ ବଣ୍ଟନ ଯୋଗୁଁ  ଅଣସେବକ ରଥକୁ ବି ଛାଡ଼ିଲେଡ଼ି । ସେବାୟତ ବେଶରେ ସହାୟକ ନାମରେ ଶତାଧିକ ଚଢ଼ିଲେ ରଥକୁ । ସରକାରୀ ଆଇନ୍‌ ଆଖିରେ ଆଙ୍ଗୁଳି ଗେଞ୍ଜି ଠାକୁରଙ୍କୁ ବି ଛୁଇଁଲେ । ରଥ ଚାରିପଟେ  ଠାକୁରଙ୍କୁ ଏପରି ଘେରି ରହିଲେ ଯେ ରଥ  ଟଣା ସମୟରେ ଭଲରେ ଶ୍ରୀଜିଉଙ୍କ ଦର୍ଶନ  ପାଇଲେନି ଲକ୍ଷ ଲକ୍ଷ ଦର୍ଶନାର୍ଥୀ । ଏନେଇ  ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ବିଭିନ୍ନ ମହଲରେ ଏନେଇ ଗଭୀର ଅସନ୍ତୋଷ  ପ୍ରକାଶ ପାଇଥିବା ସ୍ଥଳେ ଶ୍ରୀମନ୍ଦିର ପ୍ରଶାସନ ରଥ  ଉପରେ ଅଣସେବକଙ୍କ ବେଆଇନ୍‌ ପ୍ରବେଶ  ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛି ।  

ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା  ସୂଚନା ଅନୁସାରେ, ରଥରେ ଅଣସେବକ ଚଢ଼ିବା  ପ୍ରସଙ୍ଗକୁ ଶ୍ରୀମନ୍ଦିର ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର  ସହ ନେଇଛି । ଉକ୍ତ ଅଣସେବକଙ୍କୁ ଚିହ୍ନଟ କରିବା  ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ୟମ  ଆରମ୍ଭ କରିଛି । ରଥରେ ଠାକୁରେ ବିଜେ ସମୟରେ  ନିର୍ଦ୍ଦିଷ୍ଟ ସେବକଙ୍କ ବ୍ୟତୀତ ଅନ୍ୟକେହି ରଥକୁ  ଯିବାର ନିୟମ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ବହୁବାର ଜନସାଧାରଣ ତଥା ସେବାୟତବର୍ଗଙ୍କୁ  ଏନେଇ ଅବଗତ କରାଯାଇଥିଲା । ଗଣମାଧ୍ୟମରେ  ବିବୃତି ଦେଇ ପ୍ରଚାର ମଧ୍ୟ କରାଯାଇଥିଲା । ରଥ  ଯାତ୍ରା ଅବସରରେ ଦେବୀ ସୁଭଦ୍ରା ରଥରେ  ଅବସ୍ଥାନ କରୁଥିବା ସ୍ଥଳେ ଜଣେ ଗେରୁଆ  ବସ୍ତ୍ର ପରିଧାନକାରୀ ବ୍ୟକ୍ତି ଦେବଦଳନ  ରଥରେ ଚଢ଼ିଥିବା ଫଟୋ ଓ ଭିଡିଓ ସୋସିଆଲ  ମିଡ଼ିଆରେ ଘୂରି ବୁଲୁଥିଲା । ଉକ୍ତ ଅନଧିକୃତ  ବ୍ୟକ୍ତିଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ  ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର  ଆଇଆଇସିଙ୍କୁ ଅନୁରୋଧ କରାଯାଇଛି ।

ରଥରେ ଅଣସେବକ ଜଣେ ନୁହେଁ ।  ସେବାୟତ ବେଶରେ ବହୁ ସଂଖ୍ୟାରେ ରଥରେ  ଚଢ଼ିଥିଲେ ଅଣସେବକ । ରଥ ଯାତ୍ରା ଅବସରରେ  ଦଇତାପତି ସେବକଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ  ରହିଥାଏ । ସେମାନଙ୍କୁ ସାହାଯ୍ୟ କରିବାକୁ  ସହାୟକର ମଧ୍ୟ ମଞ୍ଜୁରି ଦେଇଥାନ୍ତି ପ୍ରଶାସନ ।  ସେବାୟତ ବେଶରେ ହିଁ ସହାୟକ କାହିଁକି ଆସନ୍ତି  ବୋଲି ପ୍ରଶ୍ନ ଉଠିଛି । ସେବକଙ୍କ ଭଳି ମୁଣ୍ଡରେ ଚିତା  କାଟି ପାଟମକୁଟା ପିନ୍ଧି ଆସିବାର କ’ଣ ପ୍ରୟୋଜନ  ଅଛି! ସେମାନଙ୍କୁ ଏଭଳି ରାସ୍ତା ଆପଣାଇବାକୁ  କହି ବିଶୃଙ୍ଖଳାକୁ ବଢ଼ାଉଥିବା ବ୍ୟକ୍ତିଙ୍କୁ ପ୍ରଶାସନ  କାହିଁକି ଧରୁନାହିଁ ବୋଲି ଅଭିଯୋଗ ଆସୁଛି । ସରକାର ନିୟମ କଡ଼ା ଘୋଷଣା କରୁଛନ୍ତି  ହେଲେ ପ୍ରଭାବଶାଳୀ ବିଶୃଙ୍ଖଳାକାରୀଙ୍କୁ ହାତ  ମାରୁନାହାନ୍ତି । ଶତାଧିକ ଅଣସେବକ ରଥରେ  ଚଢ଼ିଥିବା ଖୋଦ୍‌ ସେବାୟତ ଅଭିଯୋଗ କରନ୍ତି । ବର୍ଷକୁ ଗୋଟିଏ ଥର ଠାକୁରେ ତାଙ୍କ ଭକ୍ତ ପାଇଁ  ଶ୍ରୀମନ୍ଦିର ବାହାରକୁ ଆସି ରଥାରୂଢ଼ ହୋଇଥାନ୍ତି ।

ଅଧିକ ପଢ଼ନ୍ତୁ :- Crime News: ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ, ଗ୍ୟାରେଜ ଛକରେ ଯୁବକଙ୍କୁ ଖଣ୍ଡାରେ ହାଣି ମୁଣ୍ଡକୁ ପଥରରେ ଛେଚିଦେଲେ, ଦୁଇ ଜଣ ଗିରଫ

ଭକ୍ତ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିବା  ପାଇଁ କାହିଁ କୁଆଡ଼ୁ ବଡ଼ଦାଣ୍ଡକୁ ଧାଇଁ ଆସନ୍ତି ।  ହେଲେ ରଥରେ ଠାକୁରଙ୍କୁ ଆଢ଼ୁଆଳ କରି  ଅସଂଖ୍ୟ ଭକ୍ତଙ୍କୁ ମୁକ୍ତ ଠାକୁର ଦର୍ଶନରୁ ବଞ୍ଚିତ  କରାଯିବା ବିଶୃଙ୍ଖଳାକୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ  କରୁଛି । ସଂପୃକ୍ତ ସେବାୟତ ଓ ସେମାନଙ୍କ  ସହାୟକଙ୍କୁ ମନଇଛା ପାସ୍‌ ବଣ୍ଟନ କରିବାରେ  ପାସ୍‌ର କଳାବଜାରୀ ଓ ଦର୍ଶନ ବିଶୃଙ୍ଖଳା  ପାଇଁ ବାଟ ଖୋଲିଥିବା ଅଭିଯୋଗ ହେଉଛି ।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.  ଅରବିନ୍ଦ ପାଢ଼ୀ କୁହନ୍ତି, ରଥ ଉପରେ କୌଣସି  ବିଶୃଙ୍ଖଳିତ ତଥା ବେଆଇନ୍‌ କାର୍ଯ୍ୟକଳାପକୁ  କଦାପି ସହ୍ୟ କରାଯିବ ନାହିଁ । ଶ୍ରୀମନ୍ଦିର  ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ଓ ଶ୍ରୀବିଗ୍ରହଙ୍କ ସେବା  ପୂଜା ନିର୍ବିଘ୍ନରେ ସମ୍ପନ୍ନ ହେବା ଦିଗରେ ଶ୍ରୀମନ୍ଦିର  ପ୍ରଶାସନ ସର୍ବଦା ଯତ୍ନବାନ୍‌ ରହିଆସିଛି । ମନ୍ଦିର  ପରମ୍ପରା ଓ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ  ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ  ବୋଲି ଡ. ପାଢ଼ୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।