Anasara : ଅଣସର ଘରେ ମହାପ୍ରଭୁଙ୍କର କ'ଣ କ'ଣ ନୀତି ହୁଏ? ଏହି ସମୟରେ କାହିଁକି ହୁଏ ପଟିଦିଅଁ ଦର୍ଶନ
ଅନବସର ଅର୍ଥ ନ ବସର। ଲୋକମୁଖରେ ଏହା ଅଣବସର ବା ଅଣସର (Anasara Ritual) ଭାବରେ ପ୍ରଚଳିତ। କୁହାଯାଏଯେ, ଇନ୍ଦ୍ରଦ୍ୟୁମ୍ନ ହଜାରେ ଅଶ୍ଵମେଧ ଯଜ୍ଞପରେ ଦାରୁପ୍ରାପ୍ତ ହୋଇ ପନ୍ଦର ଦିନ ଗୁପ୍ତ ଭାବରେ ବିଗ୍ରହ ନିର୍ମାଣ କରିଥିଲେ। ଏହି ପକ୍ଷକୁ ଅଣସର କୁହାଯାଏ ବୋଲି ନୀଳାମ୍ବର ଦାସଙ୍କ ‘ଦେଉଳତୋଳା’ରେ ଉଲ୍ଲେଖ ଅଛି-
“ଏ ପନ୍ଦର ଦିନ ଆମ୍ଭଙ୍କୁ କେହି ଦେଖିବେ ନାହିଁ।
ବିଶ୍ଵାବସୁୁ ଦେଖାକରିବ ନିଜର ଲୋକ ସେହି !
ଏ ଯେଉଁ ପନ୍ଦର ଦିନଟି ଆମ୍ଭେ ଲୁଚି ରହିଲୁ।
ଅଣସର ବୋଲି ଏହାର ନାମ ଆଜିଏ ଦେଲୁ॥“
ସ୍ନାନପୂର୍ଣ୍ଣିମା ଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଦଇତାପତିମାନେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗସେବା କରିଥାନ୍ତି। ଏହାକୁ ତାଙ୍କର ଗୁପ୍ତସେବା କୁହାଯାଏ। ସ୍ନାନପୂର୍ଣ୍ଣିମା ଦିନ ଶ୍ରୀଜଗନ୍ନାଥ ବହୁସ୍ନାନ କରିଥିବାରୁ ଜ୍ଵର ହୋଇଥାଏ। ଏଣୁ ଦଇତାପତିମାନେ ବିଭିନ୍ନ ପାଚନ ଓ ଔଷଧ ପ୍ରଭୃତି ଦ୍ରବ୍ୟକୁ ଭୋଗ ଆକାରରେ ଗ୍ରହଣ କରିଥାନ୍ତି। ଅନବସର ମଧ୍ୟ ଜଗନ୍ନାଥଙ୍କ ଅଙ୍ଗଫିଟା ସେବା। ପୂର୍ବ ବର୍ଷ ଭିତରେ ବିଗ୍ରହଙ୍କ ଅଙ୍ଗରେ କୌଣସି କ୍ଷତ ବା ଆଘାତ ଲାଗି ଖଣ୍ଡିଆ ହୋଇଯାଇଥିଲେ ଏହି ପନ୍ଦର ଦିନ ମଧ୍ୟରେ ସେ ସମସ୍ତର ମରାମତି କରାଯାଇଥାଏ।
ଦଶାବତାର ପୂଜା
ଅଣସର ପିଣ୍ଡିର ଚାରିପଟେ ବାଉଁଶ ତାଟି କୋଠ ସୁଆଁସିଆମାନେ ଭିଡ଼ି ଦିଅନ୍ତି। ତାଟି ବାହାରେ ଏକ ଖଟ ପକାଯାଇ ପଟି ଦିଅଁ (ବାସୁଦେବ, ଭୁବନେଶ୍ଵରୀ ଓ ନାରାୟଣ) ଚିତ୍ରକାରମାନଙ୍କ ଘରଠାରୁ ବିଧି ଅନୁସାରେ ଅଣାଯାଇ ରଖାଯାଏ। ଦକ୍ଷିଣୀ ଘରୁ ମହାଜନମାନେ ସାତ ମୂର୍ତ୍ତି ଦେବଦେବୀ (ଦୋଳଗୋବିନ୍ଦ, ରାମ, ନୃସିଂହଙ୍କୁ ବଡ଼ ବାଡ଼ରେ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ମଝିବାଡ଼ରେ, ମଦନମୋହନ ଓ କୃଷ୍ଣଙ୍କୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ) ଖଟ ଉପରେ ବିଜେ କରାନ୍ତି। ଏହି ମୋଟ ଦଶ ଦେବଦେବୀ ‘ଦଶ ଅବତାର ଠାକୁର’ ନାମରେ ପରିଚିତ। ତିନି ପଟି ଦିଅଁଙ୍କୁ ତାଟି ଦେହରେ ରୁନ୍ଧା ଯାଏ। ସ୍ନାନପୂର୍ଣ୍ଣିମା ରାତିଠାରୁ ଅମାବାସ୍ୟା ଯାଏଁ ଠାକୁରମାନେ ଅଣସରରେ ରହିବା ନିୟମ। ଦଶାବତାର ଦିଅଁ ଆଗରେ ଏ ସମୟରେ ସମସ୍ତ ଦୈନିକ ନୀତି ଓ ଭୋଗରାଗ ହୁଏ।
ଦଶାବତାର ଦିଅଁଙ୍କର ଦ୍ବିପ୍ରହର ଧୂପ ପରେ ଜୟ ବିଜୟ ଦ୍ବାର ବନ୍ଦ ହୁଏ ଓ ପତି ମହାପାତ୍ରଙ୍କ ନିର୍ଦ୍ଦେଶରେ ଦକ୍ଷିଣ ଦ୍ବାର ଖୋଲାଯାଏ।ତାଟି ଭିତରେ ଦିଅଁମାନଙ୍କର ମଇଲମ ହୁଏ। ତା’ପୂର୍ବରୁ ଦଇତାମାନେ ବଇଠା ବସାନ୍ତି । ଅନ୍ୟ ସମୟରେ ଅନ୍ଧକାର ଥାଏ। ଅଣସର ଘର ଭିତରକୁ ଦଇତା ଓ ପତିଙ୍କ ଛଡ଼ା ଅନ୍ୟ କେହି ଯାଇ ପାରିବେ ନାହିଁ। ଅଣସର ସମୟରେ ତିନି ଦିଅଁ ଧଳାରଙ୍ଗର ସୁବାସ ଫୁଲ ଛଡ଼ା ଅନ୍ୟ ଫୁଲ ଲାଗି ହୁଅନ୍ତି ନାହିଁ। ଠାକୁରମାନଙ୍କର ପଣା ଭୋଗ ପତିମହାପାତ୍ର କରନ୍ତି। ଦଶାବତାର ଦିଅଁଙ୍କର ବଡ଼ସିଂହାର ଭୋଗ ପରେ ଓ ପହୁଡ଼ ପୂର୍ବରୁ ଅଣସର ଦିଅଁଙ୍କର ଚକଟା ଭୋଗ ହୁଏ। ଏହି ଭୋଗରେ ଧୁଆ ମୁଗ, ପାଚିଲା ପଣସ ଇତ୍ୟାଦି ଥାଏ। ଅଣସର ସମୟରେ ଠାକୁରମାନେ ଏକବସ୍ତ୍ର ପରିଧାନ କରୁଥିବାରୁ ଦଇତାପତିମାନେ ମଧ୍ୟ ଏକବସ୍ତ୍ର ପିନ୍ଧି ସେବା କରନ୍ତି।
ଅଣସର ଦ୍ୱିତୀୟାଦିନରୁ ଚତୁର୍ଦ୍ଦଶୀ ଦିନ
ଅଣସର ଦ୍ଵିତୀୟା ଦିନ ଦିଅଁମାନଙ୍କର ସ୍ନାନଯାତ୍ରା ପହଣ୍ଡିର ବସ୍ତ୍ର ବାହାର କରାଯାଏ। ଚତୁର୍ଥୀ ଦିନ ଶ୍ରୀଅଙ୍ଗ ଫିଟା ନୀତି ହୁଏ ଯେଉଁଥିରେ ଶ୍ରୀମୁଖ ଓ ଶ୍ରୀଅଙ୍ଗ ଖୋଲାଯାଏ। ପାଟବସ୍ତ୍ର ଓ ଲାଗି ହୋଇଥିବା ଚନ୍ଦନ ବାହାର କରାଯାଏ। ପଞ୍ଚମୀ ଦିନ ‘ଫୁଲୁରି ଲାଗି’ ହୁଏ। ଦଇତାପତିମାନେ ରାଶିତେଲ, ଚୁଆ, କର୍ପୂର, ପିଙ୍ଗଣ ଓ ପରଖରେ ରଖି ଫୁଲରି ଲାଗି କରନ୍ତି। ଷଷ୍ଠୀଠାରୁ ନବମୀ ଯାଏଁ ଦିଅଁମାନଙ୍କୁ ‘ଓଷୁଅ ଲାଗି’ କରାଯାଏ। ଅଣସର ସୁଧସୁଆର ଝୁଣା ବାଟି ଓଷୁଅ ପ୍ରସ୍ତୁତ କରି ଯୋଗାନ୍ତି। ଦଶମୀ ଦିନ ‘ଚକା ବିଜେ’ ନୀତି ହୁଏ। ଏକାଦଶୀ ଦିନ ଚନ୍ଦନ ସହିତ କର୍ପୂର କେଶର ବଟା ହୁଏ ଓ ତାହା ଦଇତାପତିମାନେ ଦିଅଁମାନଙ୍କୁ ଲାଗି କରନ୍ତି। ଏହି ଦିନ ଘଣ୍ଟା, କାହାଳୀ ଓ ବାଜା ବାଜେ। ଅଣସର ତାଟି ଆଗରେ ବିରାଜିତ ଦଶାବତାର ଦିଅଁଙ୍କୁ ମଧ୍ୟ ସେଦିନ ଚନ୍ଦନଲାଗି କରାଯାଏ । ଅଣସରର ପ୍ରଥମ ଦିନଠାରୁ ଦଶମୀ ଦିନ ଯାଏଁ କୌଣସି ଦିଅଁଙ୍କ ନୀତିରେ ଘଣ୍ଟ କାହାଳୀ ବାଜେ ନାହିଁ କିମ୍ବା ମନ୍ଦିରରେ କୌଣସିଠାରେ ନାମ ସଂକୀର୍ତନ ହୁଏ ନାହିଁ। ଅଣସର ପିଣ୍ଡିରେ ଦିଅଁମାନଙ୍କୁ ପତି ମହାପାତ୍ର ସର୍ପାମଣୋହି କରି ପୂଜା କରନ୍ତି। ଏହି ପୂଜାରେ ଘଣ୍ଟି, ଶଙ୍ଖ, ପିଢ଼ା କିମ୍ବା ଥାଳି ବ୍ୟବହାର କରାଯାଏ ନାହିଁ।
ଦ୍ବାଦଶୀ ଦିନ ‘ରାଜପ୍ରସାଦ’ ନୀତି ହୁଏ । ଭୋଗମଣ୍ଡପ ଧୂପ ପରେ ରୂପାଥାଳିମାନଙ୍କରେ ରାଜପ୍ରସାଦ (ଶ୍ରୀଅଙ୍ଗର ଚନ୍ଦନ ଓ କରାଳ ଚନ୍ଦନ) ଓ ପାଟଡୋର ରଖି ଦଇତାପତିମାନେ ଶ୍ରୀନଅରକୁ ଯାଆନ୍ତି । ସେମାନଙ୍କ ଆଗରେ ତଳିଚ୍ଛ ଓ ପ୍ରଧାନୀ ହାତ ପଇଠ କରି ଘଣ୍ଟ, ଛତା ଓ କାହାଳୀ ସହ ଯାଆନ୍ତି | ନଅରରେ ରାଜାଙ୍କ ହାତଛୁଆଁ ଶାଢ଼ିମାନ ଦଇତା, ପତିମହାପାତ୍ର, ତଡ଼ଉ, ଦେଉଳକରଣ ଓ ତଳିଚ୍ଛଙ୍କୁ ପ୍ରଦାନ କରାଯାଏ। ତ୍ରୟୋଦଶୀ ଦିନ ‘ଘଣାଲାଗି’ ଓ ‘ଶ୍ରୀପୟର ପୂଜା’ (ପାଟ ଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ) ଲାଗି ହୁଏ । ଘଣାଲାଗି ପରେ ଖଳିଲାଗି ହୁଏ । ତା’ ପରେ ଖଡ଼ିଲାଗି ହୁଏ । ଲାଗି ପରେ ଖଡ଼ି ପ୍ରସାଦ ଧରି ଦଇତାପତି ମାନେ ନଅରକୁ ଯାଆନ୍ତି । ସେମାନଙ୍କ ସାମନାରେ ଦତ୍ତ ମହାପାତ୍ର ଓ ପ୍ରଧାନୀ ହାତ ପଇଠ ହୋଇ ଯାଆନ୍ତି । ନଅରରେ ‘ରାଜପ୍ରସାଦ’ ନୀତି ଭଳି ଶାଢି ପ୍ରଦାନ ହୁଏ । ତ୍ରୟୋଦଶୀ ଦିନ ‘ଶ୍ରୀମୁଖ ଓତା’ ନୀତି ହୁଏ ।
ଅଣସର ପରେ ମହାପ୍ରଭୁଙ୍କ ଦର୍ଶନ
ଚତୁର୍ଦ୍ଦଶୀରେ ‘ବନକଲାଗି’ କାର୍ଯ୍ୟ ଦତ୍ତ ମହାପାତ୍ରମାନେ କରନ୍ତି। ତା’ପରେ ଚକା ଅପସର ଲାଗି ହୁଏ । ନୂଆ କନା ପଡ଼ି ଏଗୁଡ଼ିକ ତିଆରି ହୋଇଥାଏ। ଏହା ଲାଗି ପରେ ଏବଂ ଦଶାବତାର ଠାକୁରମାନଙ୍କର ଆଳତି ଓ ଅବକାଶ ନୀତି ପରେ ମହାଜନମାନେ ‘ଦଶାବତାର’ରୁ ପାଞ୍ଚମୂର୍ତ୍ତି ଦକ୍ଷିଣ ଘରକୁ ନିଅନ୍ତି। ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାନ୍ତି। ପଟି ଦିଅଁ (୩)ଙ୍କୁ ବିମଳା ମନ୍ଦିର ନିକଟସ୍ଥ ମଣ୍ଡଣି ଘରକୁ ବିଜେ କରାନ୍ତି। ଏହାପରେ କୋଠ ସୁଆଁସିଆମାନେ ଅଣସର ଘରୁ ତାଟି ଓ ଖଟ ବାହାର କରନ୍ତି। ଭିତରେ ପାଣି ପଡ଼ିବା ପରେ ସେବକମାନେ ଓ ସର୍ବସାଧାରଣ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରନ୍ତି। ସେତେବେଳେ ଅମାବାସ୍ୟାର ସକାଳ ହୋଇଯାଇଥାଏ । ଏହି ଦିଅଁ ଦର୍ଶନକୁ ‘ନବଯୌବନ ଦର୍ଶନ’ କୁହାଯାଏ।