Anasar service: ଦାରୁବ୍ରହ୍ମଙ୍କୁ ଅଣସର ସେବା

Jul 02, 2026 - 08:13
Anasar service: ଦାରୁବ୍ରହ୍ମଙ୍କୁ ଅଣସର ସେବା

"ପୁରୀ: ଚାଲିଛି ମହାପ୍ରଭୁଙ୍କ ମହାମାନବୀୟ ଲୀଳା।

ସ୍ନାନ ପରେ ମହାପ୍ରଭୁଙ୍କୁ ଜ୍ବର।

ସ୍ନାନ ପରଠୁ ଶ୍ରୀଅଙ୍ଗରୁ ଖୋଲାଯାଇଥିଲା ଓଦାବସ୍ତ୍ର।

ବିଧି ଅନୁଯାୟୀ ଆଜି ଶ୍ରୀବିଗ୍ରହଙ୍କ ଅଙ୍ଗରୁ ସେଦିନର ଓଦାବସ୍ତ୍ର ଓଲାଗି ବା ବାହାର କରାଯାଇଛି।

ସ୍ନାନଯାତ୍ରା ପରଠୁ ୧୪ଦିନ ଚାଲିବ ଅଣସର ସେବା।

ଏହା ମଧ୍ୟରେ ନିର୍ଦ୍ଦିଷ୍ଟ ଦିନରେ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ସେବା‌ ଯୋଗାଇ ଦିଆଯିବାର ବିଧି ପ୍ରଚଳିତ।

ଶ୍ରୀଅଙ୍ଗକୁ ନାନା ବର୍ଣ୍ଣରେ ରଞ୍ଜିତ କରି‌ ରୁଧିର, ଲୋମର କଳ୍ପନା କରନ୍ତି।

ଅଣସରର ଚତୁର୍ଥ ଦିନ ଶ୍ରୀଅଙ୍ଗ ଫିଟା ନୀତି ରହିଛି।

ଅର୍ଥାତ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଓ ଶ୍ରୀଅଙ୍ଗ ଖୋଲାଯାଏ।

ଏହି ଦିନ ଶ୍ରୀଅଙ୍ଗରୁ ଚନ୍ଦନ, କର୍ପୂର, କସ୍ତୁରୀ ଓ ଝୁଣା ଆଦି ଲେପନକୁ ବାହାର କରାଯାଏ।

ଏହାକୁ କୁହାଯାଏ "କରାଳ"।

ପଞ୍ଚମୀ ଦିନ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି ହେବ।

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାଧନା ପୀଠ ବଡ଼ଓଡ଼ିଆ ମଠ ପକ୍ଷରୁ ଏହି ତେଲ ଯୋଗାଇ ଦେବାର ପରମ୍ପରା ରହିଛି।

ବର୍ଷେ ପୂର୍ବରୁ ହେରା ପଞ୍ଚମୀ ଦିନଠୁ ଏହି ‌ତେଲ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥାଏ।

ପଞ୍ଚମ ଦିନର ଶେଷ ଓ ଷଷ୍ଠ ଦିବସର ପ୍ରାରମ୍ଭରେ ବିଳମ୍ବିତ ରାତିରେ ମଠର ଫୁଲୁରି ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ମର୍ଦ୍ଦନ କରାଯିବ।

ସପ୍ତମ ଦିନ ଶ୍ରୀଅଙ୍ଗରେ ସୁବାସିତ ତୈଳ ସହ ରାଶି ତେଲ ମଧ୍ୟ ମର୍ଦ୍ଦନ କରାଯିବ।Advertisment BMC: ବିଏମ୍‌ସିର କନ୍‌ସଲ୍‌ଟାନ୍‌ସି ପ୍ରୀତି  ଅଷ୍ଟମ ଦିନ ଶ୍ରୀବିଗ୍ରହଙ୍କ କଳେବର ଉପରେ ନୂତନ ପଟ୍ଟବସ୍ତ୍ର ମଣ୍ଡନ କରାଯିବ।

ଏହା ଶ୍ରୀରିକପଡ଼ା ନାମରେ ଅଭିହିତ।

ଏହିଦିନ କ୍ଷୀର, ଅକ୍ଷତ, ଚୂନ ଓ ଚୁଆ ଏକତ୍ର ରନ୍ଧାଯାଇ ଶ୍ରୀଅଙ୍ଗରେ ମର୍ଦ୍ଦନ କରାଯିବ।

ଏହା ପଟ୍ଟରଜୁ ବନ୍ଧନ ନାମରେ ଜଣାଶୁଣା।

ନବମ ଦିନ ଶ୍ରୀଅଙ୍ଗରେ ଉକ୍ତ ଲେପକୁ ସୂକ୍ଷ୍ମ ପତଳା ଓଦା କନାରେ ଆଚ୍ଛାଦିତ କରାଯିବ।

ଦଶମ ଦିନ ଶ୍ରୀବିଗ୍ରହ ଚକ ଉପରେ ବିଜେ କରିବେ।

ଉତ୍କଳ ପ୍ରସଙ୍ଗରେ କୃଷ୍ଣଚନ୍ଦ୍ର ସୁଆରଙ୍କ ଆଲେଖ୍ୟ "ଦାରୁଦିଅଁଙ୍କ ଅଣସର"ର ତଥ୍ୟ ମୁତାବକ, ସର୍ବାଙ୍ଗକୁ ଲୋହିତ ବସ୍ତ୍ର ଦ୍ବାରା ଆଚ୍ଛାଦିତ କରି ଶରୀରରେ ରୁଧିର କଳ୍ପନା କରାଯାଏ।

ଏଥିସହ ଜ୍ବର ଉପଶମ ହେବା ପାଇଁ ମହୌଷଧୀ ସ୍ବରୂପ ଦଶମୂଳ ମୋଦକ ଲାଗି ହେବ।

ଏକାଦଶୀ ସନ୍ଧ୍ୟାରେ ପୂଜା ସରିବା ପରେ କାହାଳୀ, ଘଣ୍ଟା ଆଦି ବାଦ୍ୟ ଧ୍ବନି ମଧ୍ୟରେ ଠାକୁରଙ୍କ ସର୍ବାଙ୍ଗରେ ଚନ୍ଦନ ଲେପ ଦେଇ ଶରୀରରେ "ପିଶିତ" କଳ୍ପନା କରାଯାଏ।

ଦ୍ବାଦଶୀ ଦିନ ଭୋଗ ମଣ୍ଡପ ନୀତି ସମାପ୍ତ ହେବା ‌ପରେ ରୁପା ଥାଳିରେ ଶ୍ରୀଅଙ୍ଗ ଚନ୍ଦନ, କରାଳ ଚନ୍ଦନ ଓ ପାଟ ଡୋର ରଖି ଦଇତାପତିମାନେ ରାଜନଅରକୁ ଯିବେ।

ଅଣସରଗୃହରୁ ପ୍ରଭୁଙ୍କ ଶ୍ରୀଅଙ୍ଗ ଚନ୍ଦନାଦି ନିର୍ମାଲ୍ୟ ଠାକୁର ରାଜାଙ୍କୁ ଦେଇ ଆସନ୍ତି।

ଏହି ଶ୍ରୀଅଙ୍ଗ ଚନ୍ଦନ ଟିକେ ପାଇବା ମାତ୍ରେକେ ପାଶ ନାଶ ହୋଇଯାଏ ବୋଲି ବିଶ୍ବାସ ରହିଛି।

ଆଜି ଜନ୍ମଦିନ: କାଳିନ୍ଦୀଚରଣ ପାଣିଗ୍ରାହୀ  ତ୍ରୟୋଦଶୀ ଦିନ ଶ୍ରୀବିଗ୍ରହମାନଙ୍କୁ ପାଟ ଡୋର, ଖଳି ଓ ଖଡ଼ି ପ୍ରସାଦ ଲାଗି ହେବାର ପରମ୍ପରା ରହିଛି।

ଚିତ୍ରକର ଠାକୁରଙ୍କ ଶ୍ରୀଅଙ୍ଗକୁ ନାନା ବର୍ଣ୍ଣରେ ରଞ୍ଜିତ କରି "ଲୋମ" କଳ୍ପନା କରିଥାଆନ୍ତି।

ଚତୁର୍ଦ୍ଦଶୀ ଦିନ ଦତ୍ତ ମହାପାତ୍ର ସେବକମାନେ "ବନକ ଲାଗି" କରିଥାନ୍ତି।

ଏହା ପରେ ଦଶାବତାର ଠାକୁରମାନଙ୍କୁ ଆଳତି ଅବକାଶ ନୀତି ପରେ ଦକ୍ଷିଣ ଘର ଓ ଖଟଶେଯ ଘରକୁ ସ୍ଥାନାନ୍ତର କରାଯାଇଥାଏ।

କୋଠ ସୁଆଁସିଆମାନେ ଅଣସର ଘରୁ ତାଟି ଓ ଖଟ ବାହାର କରନ୍ତି।

ଉଭା ଅମାବାସ୍ୟାରେ ନବଯୌବନ ଦର୍ଶନ ପରେ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥାଏ।

"