Amitabh Bachchan says ‘Sochna Padega’: ନୂଆ ଥିମ୍ ସହ ଫେରୁଛନ୍ତି ଅମିତାଭ ବଚ୍ଚନ, ଅଗଷ୍ଟ ୧୦ରୁ KBC-୧୮

Jul 18, 2026 - 13:28
Amitabh Bachchan says ‘Sochna Padega’: ନୂଆ ଥିମ୍ ସହ ଫେରୁଛନ୍ତି ଅମିତାଭ ବଚ୍ଚନ, ଅଗଷ୍ଟ ୧୦ରୁ KBC-୧୮

ଭାରତର ଲୋକପ୍ରିୟ କୁଇଜ୍ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ଏହାର ୧୮ତମ ସିଜନ୍ ସହ ପୁଣିଥରେ ଦର୍ଶକଙ୍କ ସମ୍ମୁଖକୁ ଆସୁଛି। ପ୍ରତିଥର ପରି ଏଥର ମଧ୍ୟ ଶୋ’ର ହୋଷ୍ଟ ଭାବେ ନଜର ଆସିବେ ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ, ହେଲେ ଏଥର ସିଜନ୍ ପୂର୍ବ ସିଜନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। କାରଣ, ନିର୍ମାତାମାନେ ଏଥି ପାଇଁ ‘ସୋଚନା ପଡେଗା’ ନାମରେ ଏକ ନୂଆ ଥିମ୍ ଆଣିଛନ୍ତି।

ଏହି ସିଜନରେ କେବଳ ଉତ୍ତର ଦେଲେ ହେବନି, ପ୍ରଶ୍ନର ଉତ୍ତରକୁ ବିଶ୍ଳେଷଣ କରିବା, ଠିକ୍‌ ଯୁକ୍ତି ସହ ଚିନ୍ତା କରିବା ଓ ସଠିକ୍ ନିଷ୍ପତ୍ତି ନେବାର କ୍ଷମତାକୁ ଅଧିକ ଗୁରୁତ୍ୱ ଦିଆଯିବ। ଆଜିର ଡିଜିଟାଲ୍ ଯୁଗରେ ଯେକୌଣସି ପ୍ରଶ୍ନର ଉତ୍ତର କିଛି ସେକେଣ୍ଡରେ ମୋବାଇଲରେ ମିଳିଯାଉଛି।

ଏଭଳି ସମୟରେ କେବଳ ଜ୍ଞାନ ନୁହେଁ, ସେହି ଜ୍ଞାନକୁ କିପରି ବୁଝାଉଛନ୍ତି ଓ ବ୍ୟବହାର କରୁଛନ୍ତି, ତାହା ଉପରେ ଏଥର କେବିସି ଗୁରୁତ୍ୱ ଦେଇଛି। ନୂଆ ସିଜନର ପ୍ରଚାର ପାଇଁ ନିର୍ମାତାମାନେ ଅମିତାଭ ବଚ୍ଚନଙ୍କୁ ନେଇ ତିନୋଟି ପ୍ରୋମୋ ଜାରି କରିଛନ୍ତି। ଏହି ପ୍ରୋମୋଗୁଡ଼ିକରେ ଜ୍ଞାନ, ଟେକ୍ନୋଲୋଜି ଓ ବଦଳୁଥିବା ସମୟ ସହ ଲୋକଙ୍କ ସମ୍ପର୍କକୁ ଦର୍ଶାଯାଇଛି। ସବୁ ପ୍ରୋମୋର ମୁଖ୍ୟ ବାର୍ତ୍ତା ଗୋଟିଏ 'ସୋଚନା ପଡେଗା'।

ପ୍ରଥମ ପ୍ରୋମୋରେ ଅମିତାଭ ବଚ୍ଚନ କହୁଛନ୍ତି, ବର୍ତ୍ତମାନ ପ୍ରାୟ ସମସ୍ତ ପ୍ରଶ୍ନର ଉତ୍ତର ମୋବାଇଲ ଫୋନରେ ସହଜରେ ମିଳିଯାଉଛି। କିନ୍ତୁ କେବିସି ୧୮ରେ କେବଳ ଉତ୍ତର ମନେ ରଖିଲେ ହେବନି, ସେହି ଉତ୍ତର ପଛର ଯୁକ୍ତିକୁ ବୁଝିବାକୁ ପଡିବ। 

ଦ୍ୱିତୀୟ ପ୍ରୋମୋରେ ବିଗ୍ ବି କହୁଛନ୍ତି ଯେ ଭୂଗୋଳ, ଇତିହାସ କିମ୍ବା ବିଜ୍ଞାନର ତଥ୍ୟ ମନେ ରଖିଲେ ଏଥର ସଫଳତା ମିଳିବ ନାହିଁ। ଖେଳର ଧାରା ବଦଳିଛି ଏବଂ ପ୍ରତିଯୋଗୀଙ୍କୁ ପ୍ରତ୍ୟେକ ପ୍ରଶ୍ନରେ ଭଲ ଭାବେ ଚିନ୍ତା କରି ଉତ୍ତର ଦେବାକୁ ପଡ଼ିବ।

ତୃତୀୟ ପ୍ରୋମୋରେ କୃତ୍ରିମ ବୁଦ୍ଧିମତ୍ତାର ଦ୍ରୁତ ବିକାଶକୁ ଉଦାହରଣ ଦେଇ ଅମିତାଭ ବଚ୍ଚନ କହିଛନ୍ତି, ଟେକ୍ନୋଲୋଜି ଯେପରି ଦୁନିଆକୁ ବଦଳାଇ ଦେଉଛି, ସେହିପରି କେବିସି ମଧ୍ୟ ସମୟ ସହ ନିଜକୁ ବଦଳାଇଛି। ତେଣୁ ଏଥର ପ୍ରତ୍ୟେକ ଉତ୍ତର ପୂର୍ବରୁ ଭାବିବା ଜରୁରୀ।

ଆସନ୍ତା ଅଗଷ୍ଟ ୧୦ ତାରିଖରୁ ରାତି ୯ଟାରେ ‘କୌନ ବନେଗା କରୋଡପତି ୧୮’ ପ୍ରିମିୟର ହେବ। ଶୋ’ଟି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ହେବ। ଏହା ସହିତ ସୋନି ଲାଇଭରେ ମଧ୍ୟ ଦର୍ଶକମାନେ ଏହାକୁ ଷ୍ଟ୍ରିମ୍ କରିପାରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।