AI in Veterinary Science: ପଶୁ ଚିକିତ୍ସା ବିଜ୍ଞାନରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ, ଏକ ଆବେଗଭରା ଆହ୍ୱାନ

ପ୍ରାଣୀ ଚିକିତ୍ସକମାନେ ଏ.ଆଇ ମଡେଲ୍‍ରୁ ବିଭିନ୍ନ ବନ୍ୟଜନ୍ତୁଙ୍କଠାରେ ବିଭିନ୍ନ ରୋଗର ପ୍ରାଦୁର୍ଭାବ ବିଷୟରେ ପୂର୍ବାନୁମାନ କରିଥାନ୍ତି ଯଥା, ବାଦୁଡିରେ ଧଳା ନାକ ରୋଗ କିମ୍ବା ବନ୍ୟ ପ୍ରାଣୀରେ ଡିସ୍ଟେମ୍ପର ଇତ୍ୟାଦି। କୃତ୍ରିମ ବୁଦ୍ଧିମତା ଉଭ

23 August 2025 05:20 PM IST
AI in Veterinary Science: ପଶୁ ଚିକିତ୍ସା ବିଜ୍ଞାନରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ, ଏକ ଆବେଗଭରା ଆହ୍ୱାନ

ପ୍ରାଣୀ ଚିକିତ୍ସକମାନେ ଏ.ଆଇ ମଡେଲ୍‍ରୁ ବିଭିନ୍ନ ବନ୍ୟଜନ୍ତୁଙ୍କଠାରେ ବିଭିନ୍ନ ରୋଗର ପ୍ରାଦୁର୍ଭାବ ବିଷୟରେ ପୂର୍ବାନୁମାନ କରିଥାନ୍ତି ଯଥା, ବାଦୁଡିରେ ଧଳା ନାକ ରୋଗ କିମ୍ବା ବନ୍ୟ ପ୍ରାଣୀରେ ଡିସ୍ଟେମ୍ପର ଇତ୍ୟାଦି। କୃତ୍ରିମ ବୁଦ୍ଧିମତା ଉଭୟ ମାନବ ଏବଂ ପଶୁଚିକିତ୍ସା ଔଷଧରେ ନୂତନ ଔଷଧ ଆବିଷ୍କାରକୁ ନାଟକୀୟ ଭାବରେ ତ୍ୱରାନ୍ୱିତ କରୁଛି। ପଶୁମାନଙ୍କ କ୍ଷେତ୍ରରେ ଆର୍ଥିକ ଅବହେଳା ମୁଖ୍ୟତଃ ନୂତନ ଔଷଧ ଆବିଷ୍କାରର ପରିପନ୍ଥୀ ଯାହାକି ଏବେ ଏ.ଆଇ. ମଡେଲ ମାଧ୍ୟମରେ କିଛି ନୂଆ ଆବିଷ୍କାର ପାଇଁ ପ୍ରାଣ ସଂଚାର କରୁଛି।

କୃତ୍ରିମ ବୁଦ୍ଧିମତା ବା AI ବର୍ତ୍ତମାନ ଯୁଗର ଏକ ଦିଗନ୍ତ ବିସ୍ତାରି ସମ୍ଭାବନାର ଅସୁମାରି ଆଶା ଯାହା ଆଧୁନିକ ମାନବ ସମାଜର ବିଭିନ୍ନ କାର୍ଯ୍ୟଗୁଡିକୁ ଅଚିରେ ନିର୍ଭୁଲଭାବେ ସମ୍ପାଦନ କରିପାରୁଛି। ଏହା କମ୍ପ୍ୟୁଟର ସିଷ୍ଟମର ଏକ ଅଗ୍ରୀମ ବିକାଶ ଯାହା କାର୍ଯ୍ୟ କରିବାରେ ସକ୍ଷମ। ଠିକ୍‍ ସାଧାରଣ ମଣିଷ ଭଳି ତାହା ପୁଣି ଅତି ଶୀଘ୍ର, ନିର୍ଭୁଲ ଭାବରେ। ଉନ୍ନତ ଆଲଗୋରିଦମ୍‍ର ବ୍ୟବହାର ସହ ସବିଶେଷ ବିଶ୍ଲେଷଣ କ୍ଷମତା ଏବଂ ମେସିନ୍‍ ଲର୍ଣ୍ଣିଂକୁ ସମନ୍ୱିତ କରି, ସ୍ୱୟଂକ୍ରିୟ ନିର୍ଭୂଲତା ଏବଂ ପୂର୍ବାନୁମାନ କ୍ଷମତାକୁ ସକ୍ଷମ କରି ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି ଏବଂ ପଶୁ ଚିକିତ୍ସା ବିଜ୍ଞାନ ସମେତ ଏକାଧିକ କ୍ଷେତ୍ରରେ ଏହା ବ୍ୟାପକ ବୈପ୍ଳବିକ ପରିବର୍ତ୍ତନ ଆଣିପାରୁଛି।

ବିଶାଳ ଡାଟା ସେଟ୍ ଗୁଡିକୁ ଶିଘ୍ର ପ୍ରକ୍ରିୟାକରଣ କରିବା ଏବଂ ସଠିକ୍‍ ଅନ୍ତଃଦୃଷ୍ଟି ପ୍ରଦାନ କରିବାର କ୍ଷମତା, କୃତ୍ରିମ ବୁଦ୍ଧିମତା (AI)କୁ ଏକ ଶକ୍ତିଶାଳୀ ଉପକରଣରେ ପରିଣତ କରିଛି ଯାହାକି ଅଧୁନା ମାନବ ସମାଜ ପକ୍ଷେ କରିବା କଷ୍ଟକର। ବର୍ତ୍ତ୍‍ମାନ ଏ.ଆଇ.ର ଅପାର ସମ୍ଭାବନାକୁ ଆଖି ଆଗରେ ରଖି, ଦେଶ ବିଦେଶର ବୈଜ୍ଞାନିକ ଓ ସରକାରୀ କଳ ଏହାର ପୂର୍ଣ୍ଣଅବୟବ ବିକାଶ କରିବାରେ ଅପ୍ରାଣ ଉଦ୍ୟମ ଅବ୍ୟାହତ ରଖିଛନ୍ତି ଯାହା ଜୀବନର ସାମଗ୍ରିକ ଗୁଣବତ୍ତାରେ ଉନ୍ନତି ଆଣିବାରେ ଏକ ଅସୁମାରୀ ସମ୍ଭାବନାକୁ ଉଜ୍ଜୀବିତ କରୁଛି।

ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ପାଳନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ପ୍ରାଣୀରୋଗ ନିର୍ଣ୍ଣୟ ରୋଗ ପରିଚଳନା, ନୂତନ ଔଷଧର ଆବିଷ୍କାର ଆଗୁଆ ଏବଂ ସଠିକ୍‍ କର୍କଟ ରୋଗ ନିରୂପଣ ଇତ୍ୟାଦିରେ ବେଶ ସହାୟକ ହୋଇପାରିବ ବୋଲି ବିଶ୍ୱାସ। ପଶୁ ପକ୍ଷୀମାନଙ୍କ ଖାଦ୍ୟ ଗ୍ରହଣ, ଶରୀରର ଓଜନ ଏବଂ ଦୁଗ୍ଧଉତ୍ପାଦନର ଭିନ୍ନତା ଉପରେ ଆଧାରିତ ବିଭିନ୍ନ ପୂର୍ବାନୁମାନ ମଡେଲ ଜରିଆରେ ଥନହରା, ପରଜୀବୀ ସଂକ୍ରମଣ କିମ୍ବା ଅନ୍ୟାନ୍ୟ ରୋଗ ବ୍ୟାଧି ବିଷୟରେ ସଠିକ୍‍ ସଙ୍କେତ ଦେଇପାରେ।

କୃତ୍ରିମ ବୁଦ୍ଧିମତାର ବିଭିନ୍ନ ମଡେଲ ପ୍ରାଣୀମାନଙ୍କର ସଠିକ୍‍ ଗରମ ଆସିବାର ସମୟ ସାରଣୀ, ଅଂଶୁଘାତର ପୂର୍ବାନୁମାନ କରିବାରେ ସହାୟକ ହୋଇପାରିବ, ଯାହାକି ପ୍ରଣୀମାନଙ୍କ ଦେହରେ ଲଗାଯାଇଥିବା ବିଭିନ୍ନ ପରିଧାନଯୁକ୍ତ ଯନ୍ତ୍ର ଯଥା ସ୍ମାର୍ଟ ସେନ୍ସର ଏବଂ ଅନ୍ୟାନ୍ୟ ସ୍ୱୟଂଚାଳିତ ଯନ୍ତ୍ରର ବ୍ୟବହାରରେ ବ୍ୟାପକ ଡାଟାସେଟ୍‍ର ବିଶ୍ଳେଷଣ ସହ। କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଦ୍ୱାରା ପ୍ରାଣୀ ପାଳକମାନେ ଖାଦ୍ୟ ରୂପାନ୍ତରଣ ଦକ୍ଷତା (Free Convension Efficiency); ସନ୍ତୁଳିତ ପୁଷ୍ଟିକର ଯୋଜନା ଇତ୍ୟାଦି ବିଷୟରେ ସଠିକ୍‍ ପୂର୍ବାନୁମାନ କରି ପ୍ରାଣୀପାଳନ ବ୍ୟବସାୟରେ ବେଶ ଲାଭବାନ ହୋଇପାରିବେ। ଏକ୍ସରେ ଅଲଟ୍ରାସାଉଣ୍ଡ୍‍, ସି.ଟି. ସ୍କାନିଂ ସ୍କାନ ଭଳି ପଶୁଚିକିତ୍ସା ପଦ୍ଧତି ଯାହା ହାଡଭାଙ୍ଗିବା, କର୍କଟ ରୋଗ କିମ୍ବା ଅଙ୍ଗ ଅସ୍ୱାଭାବିକତା ଚିହ୍ନଟ କରିବାରେ ସହାୟକ ହୋଇଥାଏ। ଏବେ କୃତ୍ରିମ ବୁଦ୍ଧିମତା ଆଧାରିତ ମଡେଲ କେବଳ ପ୍ରତିଛବି ବିଶ୍ଳେଷଣ କରି ଏହାର ସଠିକ୍‍ ବ୍ୟାଖ୍ୟା କରିପାରୁଛି। ବିଭିନ୍ନ ସମୟରେ ପ୍ରାଣୀମାନଙ୍କ ଠାରୁ ମନୁଷ୍ୟମାନଙ୍କୁ ବ୍ୟାପୁଥିବା ସଂକ୍ରମଣ ରୋଗର ପ୍ରାରମ୍ଭିକ ଚିହ୍ନଟ ଏବଂ ମହାମାରୀ ନିୟନ୍ତ୍ରଣ କରିବାରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଅତୁଳନୀୟ ଯାହା ପଶୁ ଚିକିତ୍ସା ମହାମାରୀ ବିଜ୍ଞାନକୁ ମଜଭୂତ୍‍ କରିବ।

ମେସିନ୍‍ ଲର୍ଣ୍ଣିଂ ମଡେଲ ଜଳବାୟୁ ତଥ୍ୟ ପଶୁମାନଙ୍କର ଗତିବିଧି ଏବଂ ଅନ୍ୟାନ୍ୟ ପାରିପାଶ୍ୱିର୍କ ଭିତ୍ତିଭୂମିର ସୂକ୍ଷ୍ମାତିସୁକ୍ଷ୍ମ ପରିବର୍ତ୍ତନକୁ ସବିଶେଷ ବିଶ୍ଳେଷଣ କରି ବାର୍ଡ ଫ୍ଲୁ , ବ୍ଲୁ ଟଙ୍ଗ, ରିପ୍ଟଭ୍ୟାଲିଜର ଇତ୍ୟାଦି ରୋଗ ପ୍ରାଦୃଭାବ ବିଷୟରେ ସଠିକ୍‍ ପୂର୍ବାନୁମାନ କରିପାରେ । ପ୍ରାଣୀସ୍ୱାସ୍ଥ୍ୟ ମାନବ ସମାଜର ସୁସ୍ଥତା ଏବଂ ପରିବେଶ ସମ୍ବନ୍ଧୀୟ ତଥ୍ୟକୁ ଏକାଠି ଯୋଡି କୃତ୍ରିମ ବୁଦ୍ଧିମତା ଏକକ ସ୍ୱାସ୍ଥ୍ୟ ଆଭିମୁଖ୍ୟକୁ କେବଳ ସୁଦୃଢ଼ କରିନଥାଏ ବରଂ ଏହା ସାମଗ୍ରିକ ରୋଗ ନିବାରଣ ରଣ କୌଶଳକୁ ସକ୍ଷମ କରିଥାଏ । ଗୃହ ପାଳିତ ପ୍ରାଣୀମାନଙ୍କର ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ନ ନଜର ରଖିବା ପାଇଁ ଏ.ଆଇ. ଆଧାରିତ ଆପ୍‍ ଏବଂ ପରିଧାନଯୋଗ୍ୟ ଯନ୍ତ୍ର ପ୍ରାଣୀମାନଙ୍କର ଶାରୀରିକ କାର୍ଯ୍ୟ ଦୃତ ସ୍ପନ୍ଦନ ହାର, ନିଦ୍ରାଚକ୍ର ଏବଂ ଖାଦ୍ୟ ଗ୍ରହଣ ଇତ୍ୟାଦି ଉପରେ ନଜର ରଖିଥାଏ ଯାହାକି ପଶୁଚିକିତ୍ସକ ମାନଙ୍କୁ ବିଭିନ୍ନ ରିଅଲ୍‍ ଟାଇମ୍‍ ସ୍ୱାସ୍ଥ୍ୟ ଯଥା ହୃଦ୍‍ରୋଗ, ବାତ୍ତ ଏବଂ ମେଦବହୁଳତା ଇତ୍ୟାଦି ରୋଗ ଗୁଡିକର ଶିଘ୍ର ଚିହ୍ନଟକୁ ସକ୍ଷମ କରିବାରେ ସହାୟକ ହୋଇଥାଏ। ଏ.ଆଇ. ପରିଚାଳିତ ଆଚରଣ ବିଶ୍ଳେଷଣ ଉପକରଣ କୁକୁର ଏବଂ ବିଲେଇମାନଙ୍କ ମଧ୍ୟରେ ଚାପ, ଉଦ୍‍ବେଗ କିମ୍ବା ଆକ୍ରମଣକୁ ଚିହ୍ନଟ କରିବାରେ ମଧ୍ୟ ସାହାଯ୍ୟ କରେ।

ଅଧୁନା, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟ ଅନ୍ତର୍ଗତ ଗୋମହିଷାଦି ମାନଙ୍କଠାରେ ପରୀକ୍ଷାମୂଳକ ଭାବେ ଓୟୁଏଟି ଷ୍ଟାର୍ଟ ଅପ୍‍ ଅନ୍ତର୍ଭୁକ୍ତ କାଓବିଟ୍‍ ଟେକ୍ନୋଲଜିସ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ ଦ୍ୱାରା ସହଜ ପରିଧାନଯୁକ୍ତ କିଛି ବାୟୋସେନ୍ସର ପରୀକ୍ଷା ଅବ୍ୟାହତି ଚାଲୁଛି । କୃତ୍ରିମ ବୁଦ୍ଧିମତାର ମେସିନ୍‍ ଲର୍ଣ୍ଣିଂ ମଡେଲ ପଶୁ ଉତ୍ପାଦ ଜନିତ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରି ରସାୟନିକ ଅବଶିଷ୍ଟାଂଶ, ଖାଦ୍ୟରେ ଜୀବାଣୁର ଉପସ୍ଥିତି ଏବଂ ଅପମିଶ୍ରଣକୁ ଚିହ୍ନଟ କରିବାରେ ସହାୟକ ହୋଇଥାଏ। ଖାଦ୍ୟ ପ୍ରକ୍ରିୟାକରଣ କାରଖାନା ଗୁଡିକରେ ଏ.ଆଇ. ପରିଚାଳିତ ରୋବୋଟିକ୍‍ସ ବର୍ଜ୍ୟବସ୍ତୁ ହ୍ରାସ କରିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟକର ଏବଂ ସ୍ୱଚ୍ଛ ପଶୁ ଉତ୍ପାଦ ବ୍ୟବସ୍ଥା ସୁନିଶ୍ଚିତ କରିଥାଏ ।

ବନ୍ୟପ୍ରାଣୀ ଚିକିତ୍ସା ଏବଂ ସଂରକ୍ଷଣ ଜୀବ ବିଜ୍ଞାନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବେ ଉଭା ହେଉଛି । ଏ.ଆଇ.ଦ୍ୱାରା ବିଶ୍ଳେଷଣ କରାଯାଇଥିବା କ୍ୟାମେରା ଟ୍ରାପ, ଡ୍ରୋନ୍‍ ଏବଂ ସାଟେଲାଇଟ୍‍ ଚିତ୍ର ବିଭିନ୍ନ ପ୍ରଜାତି ଉପରେ ନଜର ରଖିଥାଏ। ଯାହାକି ଶିକାର କାର୍ଯ୍ୟକଳାପକୁ ଅତିଶୀଘ୍ର ଚିହ୍ନଟ କରିଥାଏ । ପ୍ରାଣୀ ଚିକିତ୍ସକମାନେ ଏ.ଆଇ ମଡେଲ୍‍ରୁ ବିଭିନ୍ନ ବନ୍ୟଜନ୍ତୁଙ୍କଠାରେ ବିଭିନ୍ନ ରୋଗର ପ୍ରାଦୁର୍ଭାବ ବିଷୟରେ ପୂର୍ବାନୁମାନ କରିଥାନ୍ତି ଯଥା, ବାଦୁଡିରେ ଧଳା ନାକ ରୋଗ କିମ୍ବା ବନ୍ୟ ପ୍ରାଣୀରେ ଡିସ୍ଟେମ୍ପର ଇତ୍ୟାଦି। କୃତ୍ରିମ ବୁଦ୍ଧିମତା ଉଭୟ ମାନବ ଏବଂ ପଶୁଚିକିତ୍ସା ଔଷଧରେ ନୂତନ ଔଷଧ ଆବିଷ୍କାରକୁ ନାଟକୀୟ ଭାବରେ ତ୍ୱରାନ୍ୱିତ କରୁଛି। ପଶୁମାନଙ୍କ କ୍ଷେତ୍ରରେ ଆର୍ଥିକ ଅବହେଳା ମୁଖ୍ୟତଃ ନୂତନ ଔଷଧ ଆବିଷ୍କାରର ପରିପନ୍ଥୀ ଯାହାକି ଏବେ ଏ.ଆଇ. ମଡେଲ ମାଧ୍ୟମରେ କିଛି ନୂଆ ଆବିଷ୍କାର ପାଇଁ ପ୍ରାଣ ସଂଚାର କରୁଛି। କୃତ୍ରିମ ବୁଦ୍ଧିମତା ଆଧାରିତ ପ୍ରଯୁକ୍ତି ବିଦ୍ୟାରୁ ପ୍ରାଣୀଚିକିତ୍ସା ଶିକ୍ଷା ବିଶେଷ ଭାବେ ଲାଭାନ୍ୱିତ ହେବ ବୋଲି ଆଶା ଓ ବିଶ୍ୱାସ। ଉଦାହରଣ ସ୍ୱରୂପ, ଭର୍ଚୁଆଲ ବିଚ୍ଛୁରଣ ଏବଂ ବିଭିନ୍ନ ପ୍ରାଣୀଶରୀର ସଂରଚନା ମଡେଲ ଶିକ୍ଷାର୍ଥୀମାନଙ୍କ ପଶୁ ବ୍ୟବହାର ସମ୍ବନ୍ଧୀୟ ନୈତିକ ଚିନ୍ତା ବିନା ଅଭ୍ୟାସ କରିବାକୁ ଅନୁମତି ଦିଏ ।

ଚାଟ୍‍ ବଟ୍‍ ଏବଂ ଭର୍ଚୁଆଲ ସହାୟକମାନେ କ୍ଷେତ୍ର ସ୍ତରୀୟ ପ୍ରାଣୀଚିକିତ୍ସକମାନଙ୍କ ପାଇଁ ନିରନ୍ତର ଶିକ୍ଷଣ ଏବଂ ଅନୁସନ୍ଧାନ ସମଧାନକୁ ସମର୍ଥନ କରିବାରେ ବହୁଳ ଆଦୃତ ହୋଇପାରିବ। ଏ.ଆଇ ମଡେଲ ମାଧ୍ୟମରେ ବିଭିନ୍ନ ରୋଗନିଦାନ ଉପକରଣ ଯଥା ବାୟୋ ସେନ୍ସର ଏବେ ବାସ୍ତବ ସମୟରେ ଜଟିଳ ଡାଟା ପ୍ରକ୍ରିୟାକରଣ କରିପାରୁଛି, ଯାହା ତୁରନ୍ତ ରୋଗ ଜୀବାଣୁ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ତୁରନ୍ତ ରୋଗ ଭଲ କରିବା ପାଇଁ ଆବଶ୍ୟକ ପରାମର୍ଶ ଦେଇପାରୁଛି। ଖାଦ୍ୟ ସୁରକ୍ଷା ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ ଉନ୍ନତ ପଶୁପାଳନ, ପଶୁ ସ୍ୱାସ୍ଥ୍ୟ ଏବଂ ଉତ୍ପାଦକତା ଗୁରୁତ୍ୱପୂର୍ଣ୍ଣ । ସେହିପରି ସ୍ଥାୟୀ ଏବଂ ଏକ ମଜଭୁତ ଅର୍ଥବ୍ୟବସ୍ଥା ପାଇଁ ଉନ୍ନତ ପଶୁଚିକିତ୍ସା, ମାନବ ଏବଂ ପରିବେଶ ସ୍ୱାସ୍ଥ୍ୟକୁ ସୁ ସଂଯୋଗ କରିବା ଅପରିହାର୍ଯ୍ୟ, ଯେଉଁଥିପାଇଁ ଏବେ ଏହି ଏକକ ସ୍ୱାସ୍ଥ୍ୟ ଢ଼ାଞ୍ଚାକୁ ଆଗକୁ ନେବାରେ ଏ.ଆଇ. ଏକ କେନ୍ଦ୍ରୀୟ ସ୍ତମ୍ଭ ହେବ ବୋଲି ଆଶା କରାଯାଏ ।

କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ସଠିକ୍‍ ରୋଗ ନିର୍ଣ୍ଣୟ, ଚିକିତ୍ସା ଜନସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ପ୍ରାଣୀ ଚିକିତ୍ସା ବିଜ୍ଞାନକୁ ପୁନଃ ରୂପ ଦେଉଛି । ଜଟିଳ ତଥ୍ୟକୁ ସୁବିଶ୍ଳେଷଣ କରିବା, ପୂର୍ବାନୁମାନକାରୀ ଅନ୍ତଦୃଷ୍ଟି ସୃଷ୍ଟି କରିବା ଏବଂ ଚିକିତ୍ସା ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରହଣକୁ ବୃଦ୍ଧି କରିବାର ଏହାର କ୍ଷମତା ଅଧିକ ଦକ୍ଷ ଓ ସଠିକ୍‍ । ତଥ୍ୟର ଗୁଣବତ୍ତା, ନୈତିକ ଚିନ୍ତା ଏବଂ ଉପଲବ୍ଧତା ସମ୍ବନ୍ଧୀୟ ଆହ୍ୱାନ ଗୁଡିକ ରହିଥିବାବେଳେ, ଏ.ଆଇ.ର ପରିବର୍ତ୍ତନଶୀଳ ସମ୍ଭାବନାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ପ୍ରାଣୀ ଚିକିତ୍ସକ, ଗବେଷକ ଏବଂ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଏ.ଆଇ. ଗ୍ରହଣ କରିବା କେବଳ ପ୍ରାଣୀ ସ୍ୱାସ୍ଥ୍ୟ ସୁରକ୍ଷାରେ ବେଶ ସହାୟକ ହେବ ବୋଲି ଆଶା ଓ ବିଶ୍ୱାସ। ଏକବିଂଶ ଶତାବ୍ଦୀର ପ୍ରାଣୀଚିକିତ୍ସା ଔଷଧର ଆଧାରଶୀଳା ଭାବେ କୃତ୍ରିମ ବୁଦ୍ଧିମତାକୁ ସ୍ଥାନିତ କରି, ପାରମ୍ପାରିକ ବିଶେଷଜ୍ଞତା ସହ ସୁସମନ୍ୱୟ ରକ୍ଷା କରି ପ୍ରାଣୀ ଚିକିତ୍ସାର ସୁନେଲି ଭବିଷ୍ୟତକୁ କିପରି ପରିଭାଷିତ ଓ ପରିମାର୍ଜିତ କରାଯାଇପାରିବ, ସେଥିପାଇଁ ସମସ୍ତେ ସଦା ଚେଷ୍ଟିତ ହେବା ବର୍ତ୍ତମାନ ସମୟରେ ଏକ ଆବେଗଭରା ଆହ୍ୱାନ।

( ଲେଖକ ପ୍ରଫେସର ସୁଶେନ କୁମାର ପଣ୍ଡା, ଭୁବନେଶ୍ୱରସ୍ଥିତ ଓୟୁଏଟିର ପଶୁ ଚିକିତ୍ସା ଓ ପଶୁପାଳନ ମହାବିଦ୍ୟାଳୟର ଅଧ୍ୟକ୍ଷ ) 

 

Disclaimer: This content has been automatically aggregated from television for informational purposes. To read the original article, please visit television.