Against Terrorism: ଆତଙ୍କବାଦ ବିରୋଧରେ ଜାତିସଂଘରେ ଭାରତର କଡ଼ା ଆଭିମୁଖ୍ୟ

Jul 02, 2026 - 17:12
Against Terrorism: ଆତଙ୍କବାଦ ବିରୋଧରେ ଜାତିସଂଘରେ ଭାରତର କଡ଼ା ଆଭିମୁଖ୍ୟ

"ନୂଆଦିଲ୍ଲୀ: ଆତଙ୍କବାଦୀ କେବଳ ଜଣେ ଆତଙ୍କବାଦୀ ଏବଂ ଏହାର କୌଣସି ଆଧାର ବା ଯଥାର୍ଥତା ରହିପାରିବ ନାହିଁ ବୋଲି ଜାତିସଂଘରେ ଭାରତ ସ୍ପଷ୍ଟ କରିଛି।

ଜାତିସଂଘ ସାଧାରଣ ସଭାରେ ମିଳିତ ଜାତିସଂଘ ଗ୍ଲୋବାଲ କାଉଣ୍ଟର-ଟେରରିଜମ ଷ୍ଟ୍ରାଟେଜି (ଜିସିଟିଏସ୍) ର ନବମ ସମୀକ୍ଷା ସମୟରେ ବିଶ୍ୱ ସମୁଦାୟକୁ ସମ୍ବୋଧିତ କରି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ହରୀଶ ପର୍ବଥାନେନୀ ଆତଙ୍କବାଦ ବିରୋଧରେ ଦୋହରା ନୀତି ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି।

ଭାରତ ଦୀର୍ଘ ଦଶନ୍ଧି ଧରି ସୀମାପାର ଆତଙ୍କବାଦର ଶିକାର ହୋଇଆସୁଛି ଏବଂ ଆମର ନାଗରିକମାନେ ଏଥିପାଇଁ ବଡ଼ ମୂଲ୍ୟ ଦେଇଛନ୍ତି।

ତେଣୁ କୌଣସି ରାଜନୈତିକ କାରଣ, ରଣନୀତିକ ହିସାବ କିମ୍ବା ଅଭିଯୋଗ ଆଧାରରେ ଆତଙ୍କବାଦକୁ ପ୍ରଶ୍ରୟ ଦିଆଯାଇପାରିବ ନାହିଁ ଏବଂ ଏହି ଚିନ୍ତାଧାରାକୁ ସମୂଳେ ବିନାଶ କରିବା ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ଜୋର ଦେଇ କହିଛନ୍ତି।Advertisment  "ଆତଙ୍କବାଦୀ କେବଳ ଆତଙ୍କବାଦୀ, ଏହାର କୌଣସି ବାହାନା ଚଳିବ ନାହିଁ"  ରାଷ୍ଟ୍ରଦୂତ ପର୍ବଥାନେନୀ କହିଛନ୍ତି ଯେ, ଭାରତ ବହୁ ଦଶନ୍ଧି ଧରି ସୀମାପାର ଆତଙ୍କବାଦର ଶିକାର ହୋଇଆସୁଛି।

ଆମର ଅସଂଖ୍ୟ ନିରୀହ ଲୋକ ଜୀବନ ହରାଇଛନ୍ତି, ପରିବାର ଉଜୁଡ଼ି ଯାଇଛି ଏବଂ ସମାଜ ବିପର୍ଯ୍ୟସ୍ତ ହୋଇଛି।

ଏହି କଠିନ ଅନୁଭୂତି ହିଁ ଆତଙ୍କବାଦ ବିରୋଧରେ ଭାରତର ସଂକଳ୍ପକୁ ମଜବୁତ କରିଛି।

ସେ ଜାତିସଂଘକୁ ମନେ ପକାଇ ଦେଇଛନ୍ତି ଯେ, ମାନବାଧିକାର ଏବଂ ଆଇନର ଶାସନ ରକ୍ଷା କରିବା ନିଶ୍ଚିତ ଜରୁରୀ, ମାତ୍ର ସବୁଠାରୁ ବଡ଼ ମାନବାଧିକାର ହେଉଛି ''ଜୀବନ ଜୀଇଁବାର ଅଧିକାର'' ଏବଂ ଆତଙ୍କବାଦ ଏହି ଅଧିକାର ଉପରେ ସବୁଠାରୁ ବଡ଼ ଆକ୍ରମଣ ଅଟେ।

ତେଣୁ ଆତଙ୍କବାଦର ମାଷ୍ଟରମାଇଣ୍ଡ, ସଂଗଠକ, ଆର୍ଥିକ ସହାୟତା ପ୍ରଦାନକାରୀ ଓ ଏହାକୁ ପ୍ରତିପୋଷଣ କରୁଥିବା ଦେଶଗୁଡ଼ିକୁ ଦାୟୀ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରର କର୍ତ୍ତବ୍ୟ।

ଏହା ସହିତ ଭାରତ ଆତଙ୍କବାଦୀ ପାଣ୍ଠି ରୋକିବା ଉପରେ ଗୁରୁତ୍ୱାରୋପ କରିଛି।

ବିଶ୍ୱ ସ୍ତରରେ ଆର୍ଥିକ ଗୋଇନ୍ଦା ତଥ୍ୟ ଆଦାନପ୍ରଦାନ ବୃଦ୍ଧି କରିବା ଏବଂ "ଏଫଏଟିଏଫ୍" ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ସେ ଆହ୍ୱାନ ଦେଇଛନ୍ତି, ଯେପରି କୌଣସି ଦେଶ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ନପାଲଟେ।

ବର୍ତ୍ତମାନ ଆତଙ୍କବାଦୀମାନେ ନୂଆ ନୂଆ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର କରୁଥିବାରୁ ଏହାକୁ ରୋକିବା ପାଇଁ ସାର୍ବଜନୀନ ଆଇନଗତ ବ୍ୟବସ୍ଥା ''ସିସିଆଇଟି''କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଭାରତ ଦାବି କରିଛି, ଯାହା ଗତ ୩ ଦଶନ୍ଧି ଧରି ବିଶ୍ୱ ରାଜନୀତି ଯୋଗୁଁ ଅଟକି ରହିଛି।

ଭାରତ କହିଛି ଯେ କେବଳ ଇସଲାମୋଫୋବିଆ କିମ୍ବା ଖ୍ରୀଷ୍ଟିଆନଫୋବିଆ ନୁହେଁ, ବରଂ ହିନ୍ଦୁ, ବୌଦ୍ଧ ଓ ଶିଖ୍ ଭଳି ଅନ୍ୟ ସମସ୍ତ ଧର୍ମ ପ୍ରତି ଥିବା ବିଦ୍ୱେଷକୁ ମଧ୍ୟ ଜାତିସଂଘ ସମାନ ଭାବେ ନିନ୍ଦା କରିବା ଉଚିତ।

"