Abas Irregularities: ପକ୍କା ଘର ପାଇଁ ଅପେକ୍ଷାରେ ଅନେକ ପରିବାର, ଜରିପାଲ ତଳେ ବିତୁଛି ଜୀବନ

Jul 13, 2026 - 20:20
Abas Irregularities: ପକ୍କା ଘର ପାଇଁ ଅପେକ୍ଷାରେ ଅନେକ ପରିବାର, ଜରିପାଲ ତଳେ ବିତୁଛି ଜୀବନ

ଗୋଟିଏ ହାତ ନାହିଁ...ଗୋଟିଏ ଗୋଡ଼ ନାହିଁ...ତଥାପି ବଞ୍ଚିବାର ସଂଘର୍ଷ ଥମିନି। କିନ୍ତୁ ଯେଉଁ ଘରଟିଏ ତାଙ୍କୁ ସୁରକ୍ଷା ଦେବା କଥା...ସେ ଘରଟି ବି ତାଙ୍କ ଭାଗ୍ୟରେ ଜୁଟିନି। ଏଇ ଭଙ୍ଗା କାଠ କ୍ୟାବିନ୍ ଉପରେ ଥରେ ଆଖି ବୁଲାଇ ଆଣନ୍ତୁ। ଇଏ କୋଉ ପରିତ୍ୟକ୍ତ ଦୋକାନ ନୁହେଁ, ଜଣେ ଦିବ୍ୟାଙ୍ଗ ମଣିଷର ଘର। ଏଇଟା ହିଁ ତାଙ୍କ ସଂସାର...ଆଉ ୨୦ ବର୍ଷର ନୀରବ ସଂଘର୍ଷର ସାକ୍ଷୀ। ଏଇ କ୍ୟାବିନ ଭିତରେ ଦୁଇ ଦଶନ୍ଧି ଧରି ଦିନ କାଟୁଛନ୍ତି ଯାଜପୁର ବରି ବ୍ଲକ କନ୍ତିଆ ଗାଁର ବିଜ୍ଞାନ ମଲ୍ଲିକ। ବର୍ଷା ଆସିଲେ ପାଣି ଝରେ... ପବନ ବହିଲେ ଭୟ ବଢ଼େ... ଶୀତ ଆସିଲେ ଦେହ ଥରିଠେ। ତଥାପି କ୍ୟାବିନ ହିଁ ତାଙ୍କର ଏକମାତ୍ର ଆଶ୍ରୟ। ମୁଣ୍ଡ ଉପରକୁ ଖଣ୍ଡେ ଛାତ ପାଇଁ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ହେଲେ ସରକାରଙ୍କ ଆବାସ ଯୋଜନା ବିଜ୍ଞାନଙ୍କ ଘର ଦୁଆର ବାଟ ହୁଡ଼ିଯାଇଛି ଯେମିତି। ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ଆଶ୍ବସନା ବି ମିଳିଛି।

ଖଣ୍ଡେ ଆବାସ ପାଇଁ ହୀନସ୍ତା ଭୋଗୁଥିବା ଏ କାହାଣୀ ଖାଲି ବିଜ୍ଞାନଙ୍କର ନୁହେଁ। ଜରିପାଲ ତଳେ ଗରିବୀ ସହିତ ଯୁଦ୍ଧ କରୁଥିବା ଏଇ ଅସହାୟ ପରିବାର ବି ଖୋଜୁଛନ୍ତି ମୁଣ୍ଡ ଉପରକୁ ପକ୍କା ଘରଟିଏ। ରାୟଗଡ଼ା ମୁନିଗୁଡ଼ା ବ୍ଲକ ପୁରୁଣାପାଣି ଗାଁର ସିନାରୀ ସିକକା। ଜରିପାଲ ଛାଉଣୀ ତଳେ ୫ ପ୍ରାଣୀଙ୍କ ସଂସାର। ସ୍ବାମୀ ପରପାରିରେ। ବର୍ଷା ହେଲେ ତିନି ପୁଅ-ଗୋଟିଏ ଝିଅକୁ ଧରି ପଡ଼ୋଶୀଙ୍କ ବାରଣ୍ଡାରେ ରାତି କାଟିବାକୁ ପଡ଼େ। ସରକାରୀ ତାଲିକାରେ ଆବାସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ସିନାରୀ। କିନ୍ତୁ ଜମି ପଟ୍ଟା ନଥିବାରୁ ଆଜି ପର୍ଯ୍ୟନ୍ତ ଘରେ ଖଣ୍ଡେ ହୋଇପାରୁନି। ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ନଥିବାରୁ ଅନ୍ୟ ସରକାରୀ ସହାୟତା ମଧ୍ୟ ମିଳିପାରୁନି। 

ଏପଟେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ବାଟ ହୁଡ଼ିଛି ଆବାସ ଯୋଜନା। ବଣ୍ଟନକୁ ନେଇ ମାଳମାଳ ଅଭିଯୋଗ। ବ୍ଲକର ବିଭିନ୍ନ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କିଛି ବର୍ଷ ଆଗରୁ ମିଳିଥିବା ଆବାସ ଟଙ୍କା ନିର୍ଦ୍ଦିଷ୍ଟ ଠିକା ସଂସ୍ଥା ଉଠାଇ ଛୁ ମାରିଛି। ତେବେ ଅଭିଯୋଗ ନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନି।

ଘର...କେବଳ ଚାରିକାନ୍ଥ ନୁହେଁ, ସୁରକ୍ଷା ଆଉ ସମ୍ମାନର ପ୍ରତୀକ। କିନ୍ତୁ ରାଜ୍ୟର ବିଭିନ୍ନ କୋଣରୁ ସାମ୍ନାକୁ ଆସିଥିବା ଏହି ଚିତ୍ର କହୁଛି, ଆଜି ବି ଅନେକ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପକ୍କା ଘର ସ୍ୱପ୍ନ ହୋଇ ରହିଛି। ଗରିବଙ୍କ ମୁଣ୍ଡ ଉପରକୁ ପକ୍କା ଛାତ ଦେବାକୁ ପ୍ରଧାନମନ୍ତ୍ରୀ ଆବାସ ସମେତ ଅନ୍ତ୍ୟୋଦୟ ଗୃହ ଯୋଜନା ବି କାର୍ଯ୍ୟକାରୀ ହେଉଛି । ହେଲେ ଲାଭ ପାଇବାରେ ଏବେ ବି ଅନେକ ଯୋଗ୍ୟ ପରିବାର ବଞ୍ଚିତ। ଦେଖିବାର କଥା, ଅସହାୟ ପରିବାରଙ୍କ ମୁଣ୍ଡ ଉପରକୁ କେବେ ମିଳୁଛି ପକ୍କା ଛାତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।