Abandoned 100-Year-Old Village In Ganjam: ଶହେ ବର୍ଷର ଗାଁ, ରହୁଛନ୍ତି ଜଣେ ବୃଦ୍ଧା; ଜନଶୂନ୍ୟ ଗଞ୍ଜାମ ବେଲଗୁଣ୍ଠାର ଛତାବର
୧୦୦ ବର୍ଷର ରାଜସ୍ବ ଗାଁ। ଏବେ ଖାଁ ଖାଁ । ଯେଉଁ ମାଟି କେବେ ହସ-କୋଳାହଳରେ ଗୁଞ୍ଜିଉଠୁଥିଲା, ଆଜି ସେହି ଗାଁ ନିରବତାରେ ଡୁବିଯାଇଛି। ସମଗ୍ର ଗାଁରେ ଏକାକୀ ଜୀବନ ବିତାଉଛନ୍ତି ୭୬ ବର୍ଷୀୟା ମୀରାବାଇ ପଣ୍ଡା। ଘର ଅଛି, ଦୁଆର ଅଛି, ସ୍ମୃତି ଅଛି...ହେଲେ ସେହି ସ୍ମୃତିକୁ ମନେ ପକାଇବାକୁ ଲୋକ ନାହାନ୍ତି। ପକ୍କା ରାସ୍ତା ଅଛି, ବିଜୁଳି ଅଛି, ଘର ଘରକୁ ପାଣି ଅଛି...କିନ୍ତୁ ଭୋଗ କରିବାକୁ କେହି ନାହାନ୍ତି।
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ବେଣିପଲ୍ଲୀ ପଞ୍ଚାୟତର ଛତାବର। ସହରମୁହାଁ ସ୍ୱପ୍ନ ଖାଲି କରିଦେଇଛି ଏହି ଶହେ ବର୍ଷର ଗାଁକୁ। ଆଉ ଇଏ ଜନଶୂନ୍ୟ ଗାଁର ଶେଷ ପ୍ରହରୀ...୭୬ ବର୍ଷୀୟା ମୀରାବାଇ ପଣ୍ଡା। ଗାଁର ଏକମାତ୍ର ଅଧିବାସୀ। ଛତାବରରେ ଏକାକୀ ଜୀବନ ବିତାଉଛନ୍ତି। ତିନି ପୁଅବୋହୂଙ୍କ ସହିତ ନାତି-ନାତୁଣୀ ସମସ୍ତେ ସହରରେ। ହେଲେ ପୈତୃକ ଭିଟାମାଟିର ମୋହ ମୀରାବାଇଙ୍କୁ ଆଜି ବି ବାନ୍ଧି ରଖିଛି ଏଠି। ଭଙ୍ଗା ଘର ଭିତରେ ଏକାକୀ ଜୀବନ, ଏକାକୀ ରୋଷେଇ, ଏକାକୀ ଦିନ ଆଉ ଏକାକୀ ରାତି ବିତାଉଛନ୍ତି। ବର୍ଷା ଆସିଲେ ଭାଙ୍ଗି ଯାଇଥିବା ଛାତରୁ ପାଣି ଗଳେ। ତଥାପି ନିଜ ଗାଁର ବାସ୍ନା ଆଉ ଭିଟାମାଟି ଛାଡ଼ିବାକୁ ରାଜି ନୁହଁନ୍ତି।
ନିରବ କାହାଣୀ ପାଲଟିଯାଇଥିବା ଛତାବର ବି ଦିନେ ଥିଲା ଗହଳଚହଳ । ଗାଁରେ ୧୫ଟି ପରିବାରର ୫୦ରୁ ଅଧିକ ଲୋକ ବସବାସ କରୁଥିଲେ। ତେବେ ପିଲାଙ୍କ ପାଠପଢ଼ା, ଭଲ ଭବିଷ୍ୟତ ଓ ସହରୀ ଜୀବନର ଆକର୍ଷଣ ଧୀରେ ଧୀରେ ଗାଁକୁ ଖାଲି କରିଦେଇଛି। ଆଉ ଆଜି ଏହି ଗାଁର ପରିଚୟ କେବଳ ଜଣେ ମାତ୍ର ଅଧିବାସୀ। ତେବେ ଜଣେ ମାତ୍ର ଲୋକ ରହୁଥିଲେ ବି ପ୍ରଶାସନ ମୌଳିକ ସୁବିଧା ପହୁଞ୍ଚାଇଦେଇଛି । ସୋଲାର ପ୍ରକଳ୍ପ ମାଧ୍ୟମରେ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ସରପଞ୍ଚ ମଧ୍ୟ ମୀରାବାଇଙ୍କ ସୁବିଧା ଅସୁବିଧା ପଚାରିବୁଝୁଛନ୍ତି। ସେପଟେ ମୀରାବାଇଙ୍କୁ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଯୋଗାଇ ଦେବାକୁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।
ସମୟ ବଦଳିଛି, ଜୀବନଶୈଳୀ ବଦଳିଛି। ଆଉ ସେହି ପରିବର୍ତ୍ତନର ସ୍ରୋତରେ ଧୀରେ ଧୀରେ ଖାଲି ହୋଇଯାଇଛି ଛତାବର ଗାଁ। ବିକାଶ ଦୁଆରେ ପହଞ୍ଚିଛି, ହେଲେ ଦୁଆର ଖୋଲିବାକୁ ଲୋକ ନାହାନ୍ତି। ସମସ୍ତଙ୍କ ଅପେକ୍ଷା, କେବେ ଏହି ନିରବ ଗାଁରେ ଜୀବନ ଫେରିବ ?