51 Years of Emergency: ଏମରଜେନ୍ସିକୁ ପୂରିଲା ୫୧ ବର୍ଷ, ସ୍ବାଧୀନ ଦେଶରେ ପରାଧୀନ ଭାବେ ବଞ୍ଚୁଥିଲେ ଦେଶବାସୀ
ଆଜି ଏମରଜେନ୍ସିକୁ ପୂରିଛି ୫୧ ବର୍ଷ। ୧୯୭୫ ମସିହା ଜୁନ୍ ୨୫ ତାରିଖ ଅର୍ଥାତ୍ ଆଜିର ଦିନରେ ଦେଶରେ ଲାଗୁ ହୋଇଥିଲା ଜରୁରୀ ସ୍ଥିତି। ତତ୍କକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ଅଲ ଇଣ୍ଡିଆ ରେଡିଓ’ରେ ଏମରଜେନ୍ସି ଘୋଷଣା କରି ସମଗ୍ର ଦେଶବାସୀଙ୍କୁ ସ୍ତବ୍ଦ କରିଦେଇଥିଲେ।
ଦେଶରେ ଆଭ୍ୟନ୍ତରୀଣ ଅସ୍ଥିରତା କାରଣରୁ ରାଷ୍ଟ୍ରପତି ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦ ଏହାକୁ ଜାରି କରିଥିବା ଇନ୍ଦିରା ଦେଶକୁ ଅବଗତ କରିଥିଲେ। ଇନ୍ଦିରାଙ୍କ ଏହି ଘୋଷଣା ପରେ ବଦଳିଯାଇଥିଲା ସାରା ଦେଶର ସାମାଜିକ, ରାଜନୈତିକ ସ୍ଥିତି। ଦେଶବାସୀଙ୍କୁ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର ଛଡ଼ାଇ ନେଇଥିଲା ଏହି ଘୋଷଣା।
ସ୍ବାଧୀନ ଦେଶରେ ସ୍ବାଧୀନତାରୁ ବଞ୍ଚିତ ହୋଇଥିଲେ ଦେଶବାସୀ। ସରକାର ବିରୋଧୀ ଯେକୌଣସି କାର୍ଯ୍ୟକଳାପକୁ ବ୍ୟାନ୍ କରାଯାଇଥିଲା। ମୁକ୍ତ ଅଭିବ୍ୟକ୍ତିର ଅଧିକାର ସମେତ ସମସ୍ତ ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିଲେ ଦେଶବାସୀ। ଗଣମାଧ୍ୟମ ମଧ୍ୟ ସ୍ବାଧୀନତା ହରାଇଥିଲା। ସାରା ଦେଶରେ ଦେଖିବାକୁ ମିଳିଥିଲା ଅଭୁତପୂର୍ବ ଗିରଫଦାରୀ।
ଦେଶ ତମାମ ବିରୋଧୀଙ୍କୁ ଗିରଫ କରି ଜେଲକୁ ପଠାଯାଇଥିଲା। ଜୟପ୍ରକାଶ ନାରାୟଣ, ରାଜ ନାରାୟଣ, ମୋର୍ରାଜୀ ଦେଶାଇ, ରାମ ମନୋହର ଲୋହିଆଙ୍କ ପରି ଶୀର୍ଷ ନେତା ଜେଲ କୋଠରୀରେ ବନ୍ଦ ହୋଇଯାଇଥିଲେ। ୨ ବର୍ଷ ପର୍ଯ୍ୟନ୍ତ ଦେଶରେ ଜାରି ରହିଥିଲା ଏହି ଜରୁରୀ ସ୍ଥିତି। ଯାହାକୁ କୁହାଯାଏ ଭାରତର ଗଣନ୍ତ୍ରାତିକ ପ୍ରକ୍ରିୟାରେ ଏକ କଳା ଅଧ୍ୟାୟ। ଲୋକତନ୍ତ୍ରର ଇତିହାସରେ ବିବାଦୀୟ ହୋଇପଡିଥିଲେ ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ।