10 Eye Drop Recalls From Market: ବିପଦରେ ଲକ୍ଷ ଲକ୍ଷ ଲୋକେ, ଆଇ ଡ୍ରପ୍ ବିକ୍ରି ବନ୍ଦ ନିର୍ଦ୍ଦେଶ ଦେଲା ଭାରତର ବଡ଼ କମ୍ପାନୀ
ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି ଆଖିରେ ପକାଇବା ପାଇଁ ଡ୍ରପ୍ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। ଦେଶର ଅଗ୍ରଣୀ ଔଷଧ ନିର୍ମାତା କମ୍ପାନୀ 'ସନ୍ ଫାର୍ମା' ନିଜର ୧୦ଟି ପ୍ରମୁଖ ଆଖି ଡ୍ରପ୍ ବ୍ରାଣ୍ଡକୁ ବଜାରରୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି। ଔଷଧରେ ପ୍ରଦୂଷଣ କିମ୍ବା ଏହାର ମାନ ଦୁର୍ବଳ ହେବା ଆଶଙ୍କା ଦେଖାଦେବା ପରେ କମ୍ପାନୀ ଏହି ସାବଧାନତାମୂଳକ ପଦକ୍ଷେପ ଉଠାଇଛି।" ଏନେଇ ବିତରକମାନଙ୍କୁ ବିକ୍ରି ବନ୍ଦ କରି ସମସ୍ତ ଷ୍ଟକ୍ ଫେରସ୍ତ କରିବାକୁ କୁହାଯାଇଛି।
ଜୁଲାଇ ୧୭ ତାରିଖରେ ବିତରକଙ୍କୁ ପଠାଯାଇଥିବା ଚିଠିରେ ତୁରନ୍ତ ପ୍ରଭାବରେ ସମ୍ପୃକ୍ତ ଆଇ ଡ୍ରପ୍ର ବିଲିଂ ବନ୍ଦ କରିବା ସହ ବଜାରରୁ ଉତ୍ପାଦ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଫେରସ୍ତ ତାଲିକାରେ ବ୍ରିନୋଲାର, ଲୋଟେପ୍ରେଡ୍, ନେପାଲାକ୍ଟ ଓଡି, ଡେପୋପ୍ରେଡ୍, ବ୍ରିଞ୍ଜୋଟିମ୍, ନେପାଲାକ୍ଟ-ଜେଡ୍ ଏବଂ ଟୋବା-ଏଫ୍ ସମେତ ଅନେକ ଆଇ ଡ୍ରପ୍ ବ୍ରାଣ୍ଡ ରହିଛି।
କମ୍ପାନୀ କହିଛି, ରୋଗୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସତର୍କତାମୂଳକ ଭାବେ ଏସବୁ ଫେରାଇ ନିଆଯିବ। ସେହିପରି ବିଶେଷଜ୍ଞମାନେ ସତର୍କ କରିଛନ୍ତି ଯେ, ଦୂଷିତ କିମ୍ବା ଅସୁରକ୍ଷିତ ଆଇ ଡ୍ରପ୍ ବ୍ୟବହାର କଲେ ଆଖିରେ ସଂକ୍ରମଣ, ଗୁରୁତର କ୍ଷତି ଏବଂ ଦୃଷ୍ଟିଶକ୍ତି ହରାଇବା ପର୍ଯ୍ୟନ୍ତ ବିପଦ ସୃଷ୍ଟି ହୋଇପାରେ। ଆଖିରେ ସିଧାସଳଖ ବ୍ୟବହୃତ ହେଉଥିବାରୁ ଏପରି ଔଷଧରେ ସମ୍ପୂର୍ଣ୍ଣ ଜୀବାଣୁମୁକ୍ତତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଏହି ଘଟଣା ପରେ ଔଷଧ ଉତ୍ପାଦନର ଗୁଣବତ୍ତା ଏବଂ ସୁରକ୍ଷା ମାନଦଣ୍ଡକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ନିୟମିତ ଯାଞ୍ଚ, କଡ଼ା ଗୁଣବତ୍ତା ନିୟନ୍ତ୍ରଣ ଏବଂ ସୁରକ୍ଷା ପ୍ରୋଟୋକଲ୍ର କଠୋର ପାଳନ ହିଁ ଏଭଳି ବିପଦକୁ ରୋକିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।