ସୁଧୀର ପାତ୍ର ହତ୍ୟା ଘଟଣାରେ ୨ ଦିନିଆ ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

ବ୍ରହ୍ମପୁର : ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା l ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ଗୋପାଳପୁର ପୋଲିସ l ରିମାଣ୍ଡରେ ଆସିଥିବା ଦୁଇ ଅଭିଯୁକ୍ତ ହେଲେ ଗୁଜରାଟର ସରୋଜ ପଣ୍ଡା ଓ ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ । ଆଜି ଅଭିଯୁକ୍ତଙ୍କୁ ନେଇ କରାଯାଇପାରେ ସିନ ରିକ୍ରିଏସନ । ତଦନ୍ତରୁ କିଛି ନୂଆ ତଥ୍ୟ ଖୁଲାସା ହୋଇପାରେ । ଗୋପାଳପୁର ଥାନା ପୋଲିସର ଏକ ଟିମ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ରିମାଣ୍ଡରେ ଆଣି ମେଡିକାଲରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଥାନାକୁ ଆଣିଥିଲେ l ଥାନାରେ ସୁଧୀର ପାତ୍ରକୁ କିପରି ଘଟଣାସ୍ଥଳରୁ ଅପହରଣ କରି ନେଇଥିଲେ । କିପରି ତାଙ୍କୁ ହତ୍ୟା କରାଗଲା, ସେନେଇ ଜେରା କରି ନୂଆ ନୂଆ ତଥ୍ୟ ସଂଗ୍ରହ କରାଯାଉଛି l ସୁଧୀରଙ୍କୁ ଏପ୍ରିଲ ୧୫ ତାରିଖରେ ତାଙ୍କ ଗାଁ ନିକଟ ଭାବି ନାରାୟଣପୁରରୁ ଅପହରଣ କରି ବୁଗୁଡ଼ା ନିକଟ ଜଙ୍ଗଲରେ ହତ୍ୟା କରିଥିଲେ । ପରେ ସୋରଡ଼ା ନିକଟ ଜଙ୍ଗଲରେ ମୃତଦେହ ଫୋପାଡ଼ି ଦେଇଥିଲେ ଅଭିଯୁକ୍ତ l ପରେ ପୋଲିସ ତଦନ୍ତ କରି ସୁଧୀରଙ୍କ ପୁତୁରା ଓ ଝିଆରୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଥିଲା l ମେ ୨୬ ତାରିଖରେ ପୋଲିସ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରି ଆଣିବା ବେଳେ ସରୋଜ ଓ ରଞ୍ଜନ ବ୍ରହ୍ମପୁର ଉପକଣ୍ଠ ଅଙ୍କୁଶପୁର ନିକଟରେ ପୋଲିସ କବଳରୁ ଖସି ଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ଉଭୟଙ୍କୁ ଏନକାଉଣ୍ଟର କରିଥିଲା l ସେମାନେ ସୁସ୍ଥ ହେବା ପରେ ପୋଲିସ ସେମାନ ଙ୍କୁ ଜେଲ ପଠାଇଥିଲା l