ସିଜେପି ଆନ୍ଦୋଳନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଜରୁରୀ ଶୁଣାଣି ପାଇଁ ମନା କଲେ ସିଜେଆଇ

Jul 22, 2026 - 14:03
ସିଜେପି ଆନ୍ଦୋଳନକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଜରୁରୀ ଶୁଣାଣି ପାଇଁ ମନା କଲେ ସିଜେଆଇ

ନୂଆଦିଲ୍ଲୀ : କକ୍‌ରୋଚ ଜନତା ପାର୍ଟିର ‘ଚଲୋ ସଂସଦ’ ପଦଯାତ୍ରା ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଜରୁରୀ ଶୁଣାଣି କରିବାକୁ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ମନା କରିଦେଇଛନ୍ତି। ଆବେଦନକୁ ମେନ୍‌ସନ୍‌ କରିଥିବା ଆଇନଜୀବୀଙ୍କୁ ସିଜେଆଇ କହିଲେ, ‘ଆମେ ଭିଡିଓରେ ଆଗ୍ରହୀ ନୁହଁ, ଭିଡିଓ ଦେଖିବାକୁ ଆମ ପାଖରେ ସମୟ ନାହିଁ। ବୁଧବାର ଏହି ମାମଲାକୁ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଥିବା ଖଣ୍ଡପୀଠ ସମ୍ମୁଖରେ ଜଣେ ଆଇନଜୀବୀ ମେନସନ୍‌ କରି ଅଦାଲତ ନିଜ ଆଡ଼ୁ ଏହା ଉପରେ ଶୁଣାଣି କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଅଦାଲତ ଏହି ଅନୁରୋଧ ଗ୍ରହଣ କରିନଥିଲେ। ପ୍ରଧାନ ବିଚାରପତି କହିଥିଲେ, ଆମର ସମୟ ନଷ୍ଟ କରନ୍ତୁ ନାହିଁ, ଆପଣଙ୍କର ସମୟ ମଧ୍ୟ ନଷ୍ଟ କରନ୍ତୁ ନାହିଁ। ଆଇନଜୀବୀ ଯୁକ୍ତି ଦେଇଥିଲେ ଯେ ଛାତ୍ରମାନେ ନିଟ୍‌-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ପରିଚାଳନା ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ରେ ସଂସ୍କାର ଭଳି ସାର୍ବଜନୀନ ଗୁରୁତ୍ୱର ପ୍ରସଙ୍ଗରେ ପ୍ରତିବାଦ କରୁଥିଲେ। ଏହାର ଉତ୍ତରରେ ପ୍ରଧାନ ବିଚାରପତି କଥାକୁ ସଂକ୍ଷିପ୍ତ କରି କହିଥିଲେ, ‘ଧନ୍ୟବାଦ’। ଏହାପରେ ଆଇନଜୀବୀ ପୁଣିଥରେ କଥିତ ‘ପୁଲିସ ନିର୍ଯାତନା’ ଦେଖାଉଥିବା ଭିଡିଓ କଥା ଉଠାଇବାରୁ ସିଜେଆଇ ଦୃଢ଼ ଭାବେ କହିଥିଲେ,ଆମ ପାଖରେ ସମୟ ନାହିଁ। ଆମେ ଭିଡିଓ ଦେଖିବାକୁ ଚାହୁଁନାହୁଁ।
ଉଲ୍ଲେଖନୀୟ ଯେ, କକ୍‌ରୋଚ ଜନତା ପାର୍ଟିର ନାମ ଏହି ବର୍ଷ ଆରମ୍ଭରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଏକ ମନ୍ତବ୍ୟରୁ ଆସିଛି। ସେ ସେତେବେଳେ ବେରୋଜଗାର ଯୁବକମାନେ ସାମ୍ବାଦିକତା ଓ ସାମାଜିକ କର୍ମୀ ହେଉଥିବା ପ୍ରସଙ୍ଗରେ ସେମାନଙ୍କୁ ‘କକ୍‌ରୋଚ’ ବୋଲି କହିଥିଲେ, ଯାହାକୁ ନେଇ ବ୍ୟାପକ ବିବାଦ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ସେ ସ୍ପଷ୍ଟ କରିଥିଲେ ଯେ ତାଙ୍କ ମନ୍ତବ୍ୟ କେବଳ ନକଲି ଡିଗ୍ରିଧାରୀଙ୍କ ପାଇଁ ଥିଲା। ତେବେ, ଏହି ମନ୍ତବ୍ୟର କିଛି ଦିନ ପରେ ସିଜେପିର ଜନ୍ମ ହୋଇଥିଲା। ମାତ୍ର ଦୁଇ ମାସ ମଧ୍ୟରେ ଏହା ସୋସିଆଲ୍ ମିଡିଆରେ ଲକ୍ଷ ଲକ୍ଷ ଅନୁସରଣକାରୀ ସଂଗ୍ରହ କରିବା ସହିତ ହଜାର ହଜାର ଲୋକଙ୍କୁ ରାସ୍ତାକୁ ଆଣିପାରୁଥିବା ଏକ ଆନ୍ଦୋଳନରେ ପରିଣତ ହୋଇଥିଲା। ଗତ ଏକ ମାସ ଧରି ସିଜେପି ଏହାର ସମର୍ଥକ ଓ ଅନେକ ଛାତ୍ରଛାତ୍ରୀ ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଧାରଣା ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରୁଛନ୍ତି। ଏହି ଦାବିକୁ ସମର୍ଥନ କରି ସାମାଜିକ କର୍ମୀ ଓ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ ଜୁନ୍ ୨୮ରୁ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଆରମ୍ଭ କରିଥିଲେ। ଜୁନ୍ ୧୮ରେ ପୁଲିସ ୱାଙ୍ଗଚୁକଙ୍କୁ ଜୋରପୂର୍ବକ ପ୍ରତିବାଦ ସ୍ଥଳରୁ ଉଠାଇ ସଫଦରଜଙ୍ଗ ସରକାରୀ ହସ୍ପିଟାଲକୁ ନେଇଯାଇଥିଲା। ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ଲୋକଙ୍କୁ ଚାପୁଡ଼ ମାରାଯାଇଥିଲା ଏବଂ ମଞ୍ଚରୁ ଧକ୍କା ଦେଇ ହଟାଯାଇଥିବା ଅଭିଯୋଗ ରହିଛି। ଏହା ପୂର୍ବରୁ ସିଜେପି ଜୁଲାଇ ୨୦ ରେ ‘ଚଲୋ ସଂସଦ’ ପଦଯାତ୍ରାର ଆହ୍ୱାନ ଦେଇଥିଲା। ଏହି ପଦଯାତ୍ରା ସମୟରେ ହଜାର ହଜାର ଲୋକ ପୁଲିସ ସହ ସାମ୍ନାସାମ୍ନି ହୋଇଥିଲେ, ଯାହାକୁ ନେଇ ପୁଲିସ ନିର୍ଯାତନା ଏବଂ ବ୍ୟାପକ ଗିରଫଦାରୀର ଅଭିଯୋଗ ଉଠିଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଏକ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରି କହିଥିଲେ। ଏହି ବିଷୟରେ ଅଦାଲତକୁ ଟାଣନ୍ତୁ ନାହିଁ ବୋଲି ହାଇକୋର୍ଟ କହିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।