ରାୟଗଡ଼ାରେ ବେଦାନ୍ତ ଓ ଅଦାନୀଙ୍କ ମେଗା ଆଲୁମିନା ପ୍ରକଳ୍ପ: ବକ୍ସାଇଟ୍ ବ୍ଲକ୍ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ
ଥୁଆମୂଳ ରାମପୁର, ୨।୬ (ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଖଣି ବିଭାଗ ପକ୍ଷରୁ କଳାହାଣ୍ଡିର କାର୍ଲାପାଟ ବକ୍ସାଇଟ୍ ବ୍ଲକ୍ ସମେତ ବିଭିନ୍ନ ଖଣିଜ ଅଞ୍ଚଳର ଇ-ନିଲାମ ପ୍ରକ୍ରିୟା ଜୁନ୍ ୧ରୁ ଆରମ୍ଭ ହୋଇଛି। ଏଥିସହ ବେଦାନ୍ତର ସିଜିମାଲି ଓ ଅଦାନୀ ଗ୍ରୁପ୍ର କୁଟ୍ରୁମାଲି ଖଣି ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି। ତେବେ ଏହି ଖଣିଜ ଭରପୂର ପାହାଡ଼ଗୁଡ଼ିକର ଅଧିକାଂଶ ଅଂଶ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ରେ ଥିବା ବେଳେ, ଏହାର କଞ୍ଚାମାଲକୁ ନେଇ ପଡ଼ୋଶୀ ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ଓ କୋଲନାରା ତହସିଲରେ ଦୁଇଟି ମେଗା ଆଲୁମିନା ବିଶୋଧନାଗାର ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ଚାଲିଛି। କଳାହାଣ୍ଡିରେ କୌଣସି ସ୍ଥାୟୀ କାରଖାନା ପ୍ରତିଷ୍ଠା ହେଉ ନ ଥିବାରୁ, ଏଠାକାର ପ୍ରାକୃତିକ ସମ୍ପଦ ଦ୍ୱାରା ପଡ଼ୋଶୀ ଜିଲା ଲାଭବାନ ହେବେ ଏବଂ ସ୍ଥାନୀୟ ଦୁର୍ଗମ ଅଞ୍ଚଳର ଲୋକେ ଭିଟାମାଟି ହରାଇ ଗରିବ ହୋଇ ରହିଯିବେ ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକାଶ ପାଇଛି। ୨୪ ଟି ପଞ୍ଚାୟତ ବିଶିଷ୍ଟ ଥୁଆମୂଳ ରାମପୁର ବ୍ଲକ୍ର ପ୍ରଭାବିତ ଅଞ୍ଚଳରେ ଆଜି ବି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଏବଂ କାମଧନ୍ଧା ଅଭାବରୁ ଲୋକେ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି। ସରକାର ଖଣି ଦ୍ୱାରା ବିକାଶର ଦାବି କରୁଥିଲେ ହେଁ, ବାସ୍ତବରେ ଏହା କେବଳ ଶିଳ୍ପପତି, ପ୍ରଶାସନ ଓ ନେତାଙ୍କୁ ସମୃଦ୍ଧ କରୁଥିବା ବେଳେ ପରିବେଶ ଓ ଜୀବନଜୀବିକାର ବ୍ୟାପକ କ୍ଷତି ଘଟାଉଛି। କିଛି ନ୍ୟସ୍ତସ୍ୱାର୍ଥ ସଂଗଠନ ଓ ନେତା ପ୍ରଭାବିତ ଲୋକଙ୍କୁ ବ୍ୟବହାର କରି କମ୍ପାନୀ ସହ ପଛରେ ‘ଡିଲ୍’ କରି ଚୁପ୍ ହୋଇଯାଉଥିବା ବେଳେ, ‘ମାଁ ମାଳି ମାଟି ସୁରକ୍ଷା ମଞ୍ଚ, କଳାହାଣ୍ଡି-ରାୟଗଡ଼ା’ ଦୀର୍ଘ ବର୍ଷ ହେଲା ନିଃସ୍ୱାର୍ଥପର ଭାବେ ଜଳ, ଜଙ୍ଗଲ, ଜମି ପାଇଁ ଲଢ଼େଇ ଜାରି ରଖିଛି। ନିଜ ମାଟିର ଅସ୍ତିତ୍ୱ ରକ୍ଷା ପାଇଁ ଆନ୍ଦୋଳନ କରି ଅନେକ ନିରୀହ ଆଦିବାସୀ ଜେଲ୍ ମଧ୍ୟ ଯାଇଛନ୍ତି। ବାସ୍ତବ ବିକାଶ ଓ ପରିବେଶ ସୁରକ୍ଷାକୁ ଅଣଦେଖା କରାଗଲେ ଆଗାମୀ ଦିନରେ ଏହି ଜନ-ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆଲୋଚନା ହେଉଛି।
Dharitri – Odisha’s No.1 Odia Daily
The post ରାୟଗଡ଼ାରେ ବେଦାନ୍ତ ଓ ଅଦାନୀଙ୍କ ମେଗା ଆଲୁମିନା ପ୍ରକଳ୍ପ: ବକ୍ସାଇଟ୍ ବ୍ଲକ୍ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।