ମୁମ୍ବାଇରେ ପ୍ରବଳ ବର୍ଷା, ୨ ଦିନରେ ୪ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ଗତ ୩ ଦିନ ଧରି ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ଏହି ବର୍ଷା ଜନିତ କାରଣ ପାଇଁ ଗତ ୨ ଦିନ ମଧ୍ୟରେ ମୁମ୍ବାଇ ପୁଣେ ଏବଂ ଥାନେରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। କେବଳ ଗୁରୁବାର ଗୋଟିଏ ଦିନରେ ମୁମ୍ବାଇରେ ବର୍ଷା ଜନିତ କାରଣ ପାଇଁ ୩ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୁମ୍ବାଇର ସାକିନାକାରେ ଏକ ଖୋଲା ମ୍ୟାନହୋଲ୍ରେ ପଡ଼ି ମୃତ୍ୟୁ ହୋଇଥିବାବେଳେ ଜଣେ ୪୨ ବର୍ଷୀୟା ମହିଳା ଏବଂ ଜଣେ ୧୭ ବର୍ଷୀୟା ନାବାଳିକାଙ୍କର ଥାନେ ଜିଲ୍ଲାରେ ୨ଟି ପୃଥକ୍ ଘଟଣାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ଡୋମ୍ବିଭଲିର ହନୁମାନ ନଗରରେ ଶଶି ନାମକ ଜଣେ ମହିଳା ତାଙ୍କ ପିଲାମାନଙ୍କ ପାଇଁ ଖାଦ୍ୟ ଆଣିବାକୁ ବାହାରକୁ ଯାଇଥିବା ସମୟରେ ସେ ଜଳମଗ୍ନ ରାସ୍ତାରେ ପଡ଼ିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଅନ୍ୟ ଏକ ଘଟଣାରେ ଥାନେର ମୁମ୍ବ୍ରାରେ ଆଲିୟା ନାମକ ଜଣେ ୧୭ ବର୍ଷୀୟା ବାଳିକା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ପୁଲିସ ଅନୁଯାୟୀ ଯସ୍ମିନ୍ ପାର୍କ ବି-ୱିଙ୍ଗ୍ ବାସିନ୍ଦା ଆଲିୟା ତାଙ୍କ ଘର ବାହାରକୁ ଯାଇଥିବା ସମୟରେ ରାସ୍ତା ଉପରେ ପଡ଼ିଥିବା ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଏହି ୩ଟି ଘଟଣା ପରେ ବର୍ଷା ଋତୁରେ ନାଗରିକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ ହୋଇଛି। ତେବେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଥିବା ୨ଟି ମୃତ୍ୟୁ ଘଟଣା ପାଇଁ କର୍ତ୍ତୃପକ୍ଷମାନେ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ ଆଜି ପୁଣେରେ ଜଣେ ୨ ବର୍ଷର ଶିଶୁ ବର୍ଷା ପାଣି ଭର୍ତ୍ତି ହୋଇଥିବା ଏକ ଖାତରେ ପଡ଼ି ପ୍ରାଣ ହରାଇଛି। ଶିଶୁଟିର ନାଁ ସୋହମ ଲଖନ କସବେ। ସେ ନିଜ ଘର ଆଗରେ ଖେଳୁଥିବାବେଳେ ଏକ ଖୋଲା ଖାତରେ ପଡ଼ି ପ୍ରାଣ ହରାଇଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି ଯେ ବର୍ଷା ଜଳ ନିଷ୍କାସନ ପାଇଁ ୪ଟି ଗାଡ଼ ଖୋଳାଯାଇଥିଲା। କିନ୍ତୁ ଏସବୁକୁ ବିନା ସୁରକ୍ଷାରେ ଖୋଲା ରଖାଯାଇଥିଲା। ଫଳରେ ଏତେବଡ଼ ଅଘଟଣ ଘଟିଯାଇଛି।