ମସ୍ତିଷ୍କରେ ଭୟଙ୍କର ଆଘାତରୁ ସୌମ୍ୟଙ୍କ ମୃତ୍ୟୁ -ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣା । ଗୁରୁବାର ଆସିଛି ସୌମ୍ୟଙ୍କ ବ୍ୟବଚ୍ଛେଦ ରିର୍ପୋଟ । ମସ୍ତିଷ୍କରେ ଗଭୀର ଆଘାତ ଯୋଗୁଁଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ,ସୌମ୍ୟଙ୍କ ଶରୀରର ୨୧ଟି ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ସୌମ୍ୟଙ୍କ ମୁଣ୍ଡ, ବେକ, ପିଠି, ହାତ ସମେତ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ଚିହ୍ନ ରହିଥିଲା। ତଦନ୍ତକାରୀ ଟିମ୍ର ଆକଳନ ଅନୁଯାୟୀ, ତାଙ୍କୁ କୌଣସି କଠିନ ଓ ଭାରି ବସ୍ତୁରେ ବାରମ୍ବାର ଆକ୍ରମଣ କରାଯାଇଥିଲା। ଏହି ଆଘାତଗୁଡ଼ିକ ଏତେ ଭୟଙ୍କର ଥିଲା ଯେ, ମସ୍ତିଷ୍କରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିଲା ଓ ଶେଷରେ ତାଙ୍କ ଜୀବନ ଚାଲିଯାଇଥିଲା। ଏହାସହ ସୌମ୍ୟ ନିଶା ଦ୍ରବ୍ୟ ସେବନ କରିଥିଲେ କି ନାହିଁ ତାହା ଜାଣିବା ପାଇଁ ନମୁନା ସଂଗ୍ରହ କରାଯାଇ ପୁଲିସକୁ ଦିଆଯାଇଛି।
ସୂଚନା ଯୋଗ୍ୟ,ଗତ ମେ ୭ରେ ଗାଡ଼ି ଦୁର୍ଘଟଣା ଓ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ଆଣି ସୌମ୍ୟଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ସୌମ୍ୟଙ୍କ ପରିବାର ପ୍ରଥମରୁ ଅଭିଯୋଗ କହିଥିଲେ । ଏନ୍ଏଚ୍ଆର୍ସି ଟିମ୍ ଆଗରେ ମଧ୍ୟ ସୌମ୍ୟଙ୍କ ମାଆ ପୁଅକୁ ଦିଆଯାଇଥିବା ନିର୍ଯାତନା ସମ୍ପର୍କରେ ବୟାନ ରଖିଥିଲେ । ମାମଲାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ଜାରି ରଖିଛି। ଏବେସୁଦ୍ଧା ୧୮ ଅଭିଯୁକ୍ତ ଗିରଫ ହୋଇଛନ୍ତି ।