ଭଦୋଦରାରେ ଟ୍ରକକୁ ପିଟିଲା ବସ୍, ୬ ମୃତ, ୩୦ ଆହତ

Jun 17, 2026 - 16:37
ଭଦୋଦରାରେ ଟ୍ରକକୁ ପିଟିଲା ବସ୍, ୬ ମୃତ, ୩୦ ଆହତ

ଭଦୋଦରା: ଗୁଜରାଟର ଭଦୋଦରାସ୍ଥିତ କୋଟାମ୍ବି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ନିକଟରେ ଆଜି ଭୋର ପ୍ରାୟ ୪ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି। ରାଜସ୍ଥାନର ବାଂଶୱାଡାରୁ ଗୁଜରାଟର ସୁରଟ ଅଭିମୁଖେ ଯାଉଥିବା ‘ବାଲାଜୀ ଟ୍ରାଭେଲ୍ସ’ର ଏକ ଦ୍ରୁତଗାମୀ ଲକ୍ଜୁରୀ ବସ୍ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେବା ଫଳରେ ୯ ବର୍ଷର ଶିଶୁ ପ୍ରୀତ ଭାଟିଆଙ୍କ ସମେତ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା ଏବଂ ଅନେକ ଯାତ୍ରୀ ଭିତରେ ଫସି ରହିଥିଲେ। ଖବର ପାଇ ଜାରୋଦସ୍ଥିତ ମୁଖ୍ୟାଳୟରୁ ଏନଡିଆରଏଫ୍, ଏସଡିଆରଏଫ୍, ଓ ଭଦୋଦରା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ କଟର ସାହାଯ୍ୟରେ ଗାଡ଼ିକୁ କାଟି ୨୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଭଦୋଦରାର ଏସଏସଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଅନୁଯାୟୀ, ମୃତକଙ୍କ ମଧ୍ୟରୁ ୪ ଜଣଙ୍କୁ ବିନୋଦ ଡାମୋର (୩୦), ମୁକେଶ ଡିଣ୍ଡୋର (୩୪), ପ୍ରୀତ ଭାଟିଆ (୯) ଓ ମହେନ୍ଦ୍ର ପାଣ୍ଡ୍ୟା (୬୮) ଭାବେ ଚିହ୍ନଟ କରାଯାଇଛି। ଆହତମାନଙ୍କ ମଧ୍ୟରେ ୧୦ ଓ ୧୨ ବର୍ଷର ଦୁଇଟି ଶିଶୁ ମଧ୍ୟ ଅଛନ୍ତି। ବାଘୋଡିଆ ପୁଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।