ବିନା କଟ୍ନୀରେ ମଣ୍ଡିରୁ ଉଠୁନି ଧାନ: ସିଏସ୍ଓଙ୍କୁ ଫେରାଦ ହେଲେ ଚାଷୀ
ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ବିତି ଯାଇଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ବିକ୍ରିବଟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ରହିଛି। ଟୋକନ ସମସ୍ୟା ଯୋଗୁ ଅନେକ ଚାଷୀ ବିକ୍ରି ପାଇଁ ଅମଳ ଧାନକୁ ମଣ୍ଡି(ଧାନକ୍ରୟ କେନ୍ଦ୍ର)କୁ ନେଇ ପାରି ନାହାନ୍ତି। ଅନ୍ୟପଟେ ଟୋକନ ପାଇବା ପରେ ଯେଉଁ ଚାଷୀମାନେ ମଣ୍ଡିକୁ ଧାନ ନେଉଛନ୍ତି, ବିନା କଟ୍ନୀଛଟ୍ନୀରେ ସେମାନଙ୍କ ଧାନ କିଣାଯାଉ ନଥିବା ଅଭିଯୋଗ ହୋଇଛି। ଏପରିକି ମଣ୍ଡିରେ ଥରେ ଏବଂ ମିଲ୍ ପଏଣ୍ଟରେ ଆଉଥରେ ଧାନ କଟ୍ନୀଛଟ୍ନୀ କରାଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଥିରେ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି। ସେହିପରି ମଣ୍ଡିକୁ ବହୁ କମ୍ ପରିମାଣର ଆଲଟ୍ମେଣ୍ଟ ଆସୁଥିବାରୁ ମଣ୍ଡିରେ ସଂଗୃହୀତ ଧାନ ଅନୁପାତରେ ତାକୁ କିଣାଯାଇ ପାରୁ ନଥିବା ଚାଷୀମାନେ କହିଛନ୍ତି। ଏଭଳି ଅଭିଯୋଗ ନେଇ ସୋମବାର ଜିଲାର ଏସ୍. ଡୁମ୍ବେରପାଲି ପଞ୍ଚାୟତ ବନବାସପାଲି ଗ୍ରାମରେ ଚାଷୀମାନେ ଜିଲା ଯୋଗାଣ ଅଧିକାରୀ(ସିଏସଓ)ଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସିଏସଓ ଦିବ୍ୟସିଂ ବଡ଼ମାଳିଙ୍କୁ ସେମାନେ ଏକ ଦାବିପତ୍ର ପ୍ରଦାନ କରି କଟ୍ନୀଛଟ୍ନୀ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ସହିତ ଧାନବିକ୍ରି ସୁବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ତେବେ ଏ ନେଇ ସିଏସଓ ବଡ଼ମାଳି କହିଛନ୍ତି, ଚାଷୀମାନେ ମୁଖ୍ୟତଃ ମଣ୍ଡିରେ ଧାନର ଆଲଟ୍ମେଣ୍ଟ ବଢ଼ାଇବା ପାଇଁ ଆସିଥିଲେ। ସେହିପରି କଟନୀଛଟନୀ ନେଇ ଯେଉଁ ଅଭିଯୋଗ ଆସିଛି, ସେ ନେଇ ତଦନ୍ତ କରାଯିବ। ମିଲ୍ ପଏଣ୍ଟରେ ଧାନର ଗୁଣମାନ ପରୀକ୍ଷା କିମ୍ବା କଟନୀଛଟନୀ କରାଯିବା କଥା ନୁହେଁ। କେଉଁ ପରିସ୍ଥିତିରେ ସେହି ମିଲ୍ରେ କଟନୀଛଟନୀ ହୋଇଛି, ତଦନ୍ତ ପରେ ତାହା ଜଣାପଡ଼ିବ ବୋଲି ବଡ଼ମାଳି କହିଛନ୍ତି।
ଜିଲାରେ ଗତମାସ ୧୧ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର ୧୮୩ ମଣ୍ଡିରେ ଧାନ କିଣାବିକା ଚାଲିଛି। ତେବେ ଟୋକନ ସମସ୍ୟା ପରେ ଏବେ କଟନୀଛଟନୀ ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ବିନା କଟନୀଛଟନୀରେ ମଣ୍ଡିରୁ ଧାନ ଉଠାଯାଉ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭିନ୍ନ ଗୁଣମାନ ଆଳ ଦେଖାଇ ଧାନ କୁଇଣ୍ଟାଲ ପ୍ରତି ୩କି.ଗ୍ରାରୁ ୬କି.ଗ୍ରା ପର୍ଯ୍ୟନ୍ତ କଟନୀଛଟନୀ କରାଯାଉଥିବା ଅଭିଯୋଗ ହୋଇଛି। ବନବାସପାଲିର ଜଣେ ଚାଷୀ ଲାଲସାହେବ ସାହୁ କହିଛନ୍ତି, ମଣ୍ଡିକୁ ସେ ୫୫କୁଇଣ୍ଟାଲ ଧାନ ଆଣିଥିଲେ। ସେଠାରେ ଧାନ କିଣାଯାଇଥିଲା। ମାର୍କେଟିଂ ସ୍ଲିପ୍ ଦିଆଯାଇ ଏକ ରାଇସ୍ ମିଲକୁ ସେହି ଧାନ ପଠାଯାଇଥିଲା। ମାତ୍ର ସେହି ରାଇସ୍ ମିଲ୍ରେ ସମ୍ପୃକ୍ତ ମିଲର୍ କୁଇଣ୍ଟାଲ ପ୍ରତି ୬କି.ଗ୍ରା ଲେଖାଏ ଧାନ କଟନୀଛଟନୀ କରିଥିବା ସେ କହିଛନ୍ତି। ଧାନ ଖରାପ ଥିଲେ କଟନୀଛଟନୀ କରିଥିଲେ ହୋଇଥାନ୍ତା, ମାତ୍ର ଧାନ ପୂରାପୂରି ଠିକ୍ ଥିଲା ଏବଂ କଟ୍ନୀଛଟ୍ନୀ କରିଛନ୍ତି। ଯେତିକି ଧାନ କାଟିଛନ୍ତି, ସେହି ବିକ୍ରିଧାନର ପ୍ରାପ୍ୟ ରାଶି ପ୍ରଦାନ କରାଯାଉ ଏବଂ ସବୁ ଧାନ କିଣାଯାଉ ବୋଲି ଚାଷୀ ଲାଲସାହେବ ଦାବି କରିଛନ୍ତି।
ସେହିପରି ଅନ୍ୟଜଣେ ଚାଷୀ ଗଣେଶ ପ୍ରସାଦ ସାହୁ କହିଛନ୍ତି, ମଣ୍ଡିକୁ ଧାନ ଉଠାଣ ଟାର୍ଗେଟ୍(ଆଲଟ୍ମେଣ୍ଟ୍) ବହୁତ କମ୍ ଆସୁଛି। ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣିଲେ ମଧ୍ୟ ତାହା ବିକ୍ରି ହୋଇପାରୁ ନାହିଁ। ସେହିପରି ଟୋକନରେ ମଧ୍ୟ ବିକ୍ରିଯୋଗ୍ୟ ଧାନ ପରିମାଣ ବହୁତ କମ୍ ଆସିଛି। ଫଳରେ ଅମଳ କରିଥିଲେ ମଧ୍ୟ ତାକୁ ବିକ୍ରି ପାଇଁ ମଣ୍ଡିକୁ ଆଣି ହେଉ ନାହିଁ। ମଣ୍ଟିରେ ଧାନବିକ୍ରି ହେଲେ ମଧ୍ୟ ସେଥିରେ କାଟଛାଟ୍ ହେଉଛି। ଏହି ସମସ୍ୟା ଜଣାଇବା ପାଇଁ ଆମେ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କଲୁ। ମାତ୍ର କେହି ଫୋନ୍ ଉଠାଇଲେ ନାହିଁ। ଶେଷରେ ଗାଡ଼ିଟିଏ ଭଡ଼ା କରି ସମସ୍ତ ଚାଷୀ ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଛୁ ବୋଲି ସେ କହିଥିଲେ। ତେବେ ଏହି ସମସ୍ୟା କେବଳ ବନବାସପାଲି ଅଞ୍ଚଳର ଚାଷୀଙ୍କ ନୁହେଁ, ଜିଲାର ସବୁମଣ୍ଡିରେ ଏଭଳି ସମସ୍ୟା ଦେଖାଯାଇଛି ଏବଂ ଧାନ କିଣାଯିବା ପୂର୍ବରୁ କଟନୀଛଟନୀ ହେଉଛି। କଟନୀଛଟନୀରେ ଚାଷୀ ରାଜି ହେଲେ ଯାଇ ସମ୍ପୃକ୍ତ ଚାଷୀଙ୍କ ଧାନ କିଣାଯାଉଛି, ନଚେତ୍ ମଣ୍ଡିକୁ ଧାନ ଆଣିଥିଲେ ମଧ୍ୟ ତାକୁ କିଣାଯାଉ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
Dharitri – Odisha’s No.1 Odia Daily
The post ବିନା କଟ୍ନୀରେ ମଣ୍ଡିରୁ ଉଠୁନି ଧାନ: ସିଏସ୍ଓଙ୍କୁ ଫେରାଦ ହେଲେ ଚାଷୀ appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।