ବିଦ୍ୟୁତ ଆଘାତରେ ୨ ଜଣଙ୍କ ମୃତ୍ୟୁ
ସୋର : ବାଲେଶ୍ୱର ଜିଲ୍ଲା ସିମୁଳିଆରେ ଘଟିଛି ଏକ ଦୁଃଖଦ । ବିଲରେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ । ବୁଲା ଗାଈଙ୍କ ଦାଉରୁ ଚାଷ ଜମିକୁ ରକ୍ଷା କରିବାକୁ ବିଛା ଯାଇଥିଲା ବିଦ୍ୟୁତ ତାର । ତେବେ ଅସାବଧାନତା ବଶତଃ ସେହି ବିଦ୍ୟୁତ ତାର ରେ ଲାଗି ଚାଷୀ ଜଣକ ଗୁରୁତର ହୋଇଥିବାବେଳେ ତାଙ୍କୁ ବଞ୍ଚାଇବାକୁ ଆସିଥିବା ଅନ୍ୟ ଜଣେ ମହିଳା ମଧ୍ୟ ଗୁରୁତର ହୋଇ ପରେ ମୃତ୍ୟୁ ମୁଖରେ ପଡିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସିମୁଳିଆ ଥାନା ଅନ୍ତର୍ଗତ ମହିଷାପଣ୍ଡା ଗାଁରେ । ମୃତକ ସେହି ଗାଁର ବାବୁଲି ଦାସ ଓ ପାର୍ବତୀ ମୁଣ୍ଡା ।
ସୂଚନା ଅନୁସାରେ, ଗତକାଲି ମହିଷାପଣ୍ଡା ଗାଁ ର ବାବୁଲି ଦାସ ନିଜ ଚାଷ ଜମିରେ ଧାନ ତଳିକୁ ବୁଲା ଗୋରୁ ଗାଈଙ୍କ ଠାରୁ ସୁରକ୍ଷା ପାଇଁ ଚାରିପାଖେ ଜାଲି ସହିତ ଲୁହା ତାର ଲଗାଇଥିଲେ । ଏହା ସହିତ ସୁରକ୍ଷା ପାଇଁ ସେହି ତାରରେ ବିଦ୍ୟୁତ ସଂଯୋଗ କରିଦେଇଥିଲେ । ମାତ୍ର ଆଜି ସକାଳେ ଅଜାଣତରେ ସେହି ବିଦ୍ୟୁତ ତାରର ସଂଯୋଗ ନଖୋଲି ବାବୁଲି ବିଲ ଭିତରକୁ ଯାଇଥିଲେ । ଫଳରେ ସେ ନିଜେ ବିଛାଇଥିବା ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛଟପଟ ହେବାକୁ ଲାଗିଥିଲେ । ବିଲ ଭିତରେ ବାବୁଲି କରେଣ୍ଟ ମାଡ଼ରେ ଛଟପଟ ହେଉଥିବା ଦେଖି ରାସ୍ତା ପାଖରେ ଘର କରି ରହୁଥିବା ବୃଦ୍ଧା ପାର୍ବତୀ ମୁଣ୍ଡା ସାହାଯ୍ୟ ପାଇଁ ଆସିଥିଲେ । ସେ ତୁରନ୍ତ ବାବୁଲିଙ୍କ ଜୀବନ ବଞ୍ଚାଇବାକୁ ବିଲକୁ ଯାଇଥିଲେ। ମାତ୍ର ସେଠାରେ ସେ ମଧ୍ୟ ସେହି ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ସେମାନେ ଗୁରୁତର ହୋଇପଡ଼ିଥିଲେ । ଘଟଣା ଦେଖି ସ୍ଥାନୀୟ ଲୋକ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ଘଟଣା ସମ୍ପର୍କରେ ପୁଲିସ ଅଧିକ ତଦନ୍ତ କରୁଛି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।