ବସ ଧକ୍କାରେ କାର ଚୁରମାର ୧ ମୃତ, ୩ ଗୁରୁତର
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗନ୍ଦିଆରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ସହ କାର ମୁହାଁମୁହିଁ ଧକ୍କା ହେବା ଫଳରେ କାର ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୩ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଢେଙ୍କାନାଳ ଭୁବନ ଅଞ୍ଚଳର ରଞ୍ଜିତ ମଲ୍ଲିକ । ସମସ୍ତ ଗୁରୁତରଙ୍କୁ ପ୍ରଥମେ ଗନ୍ଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡ୍ରାଇଭର ରଞ୍ଜିତ ମଲ୍ଲିକଙ୍କର ମୃତ୍ୟୁ ଘଟିଥିଲା ।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୭ଟା ସମୟରେ 'ଖୁସି' ନାମକ ଏକ ଯାତ୍ରୀବାହୀ ବସ କଟକରୁ ପାଲଲହଡ଼ା ଅଭିମୁଖେ ଯାଉଥିଲା । ଏହି ସମୟରେ ଢେଙ୍କାନାଳ ଭୁବନରୁ ରଞ୍ଜିତ ମଲ୍ଲିକ ୪ଜଣଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲେ । ତେବେ ଦେଓଗାଁ ଠାରୁ କିଛି ଦୂରରେ ବସ ସହ କାର ର ସାମ୍ନାସାମ୍ନି ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁରମାର ହୋଇଯାଇ ଥିବାବେଳେ ବସ ର ସାମ୍ନା ପଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଢେଙ୍କାନାଳ ସଦର ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।