ପୋଡା ହୁଏ ନାହିଁ ମହାପ୍ରଭୁଙ୍କ ପୋଡ଼ ପିଠା
ଆଜି ଆଷାଢ଼ ମାସ ଦଶମୀ ତିଥିରେ ଶ୍ରୀମନ୍ଦିର ବାହୁଡ଼ିବେ ମହାପ୍ରଭୁ । ଶ୍ରୀ ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଲୀଳାଖେଳା ସାରି ଶ୍ରୀ ନ'ଅରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଫେରିବା ବାଟରେ ମାଉସୀ ମା'ମନ୍ଦିର ନିକଟରେ ଅଟକିବ ତିନି ଠାକୁରଙ୍କ ରଥ । ସେଠାରେ ମାଉସୀ ମା'ଙ୍କ ଠାରୁ ସୁସ୍ବାଦୁ ପୋଡ଼ ପିଠା ଖାଇବେ ତିନି ଠାକୁର ।
1.jpg)
ଶ୍ରୀମନ୍ଦିର ଫେରିବା ବେଳେ ରଥାରୁଢ଼ ଦିଅଁଙ୍କ ଠାରେ ଲାଗି ହୁଏ ପୋଡ଼ପିଠା । ମାଉସୀ ମା' ଅର୍ଦ୍ଧାଶନୀଙ୍କ ହାତରୁ ମହାପ୍ରଭୁ ପୋଡ଼ପିଠା ଖାଇଥାନ୍ତି । ଏହି ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି । ମାଉସୀ ମା' ମନ୍ଦିର (ମାଉସୀମା ଦେଉଳ ଓ ଅର୍ଦ୍ଧାଶନୀ ମନ୍ଦିର ନାମରେ ମଧ୍ୟ ଜଣା) । ଏହା ପୁରୀ ବଡ଼ଦାଣ୍ଡ ଜଗନ୍ନାଥ ମନ୍ଦିର ଆଡ଼କୁ ଗଲାବେଳେ ବଳଗଣ୍ଡି ପାଖରେ ବାମପଟେ ଅବସ୍ଥିତ । ଅଧିଷ୍ଠାତ୍ରୀ ଦେବୀ ମାଉସୀ ମା (ଅର୍ଦ୍ଧାଶନୀ) ଜଗନ୍ନାଥଙ୍କ ମାଉସୀ ଭାବରେ ଜଣାଯାଆନ୍ତି । ପୂର୍ବରୁ ଏଠି ହାତୀ ଗାଧୁଆ ନଦୀ ବହି ଯାଉଥିଲା । ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ । ପୂର୍ବ କାଳରେ ଶ୍ରୀଜିଉଙ୍କର ରଥ ଆସି ଏଇଠି ଅଟକି କିଛି ସମୟ ବିଶ୍ରାମ ନେବାପରେ ନଈ ପାର ହୋଇ ବିଗ୍ରହମାନେ ଆରପଟରେ ଥିବା ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ପୁଣି ଫେରିଲାବେଳକୁ ଅର୍ଥାତ ବାହୁଡ଼ାବେଳେ ଏଇଠି ମାଉସୀ ମା ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଚଳି ଆସିଛି । ଏଥିପାଇଁ ମାଉସୀ ମା'ଙ୍କ ମନ୍ଦିରରେ ପୋଡ଼ପିଠା ତିଆରି ଚାଲିଛି ।
ମାଉସୀ ମା'ଙ୍କ ପୂଜକ ବିଶ୍ବନାଥ ମିଶ୍ର ଏହି ପୋଡ଼ପିଠା ପ୍ରସ୍ତୁତ କରି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି । ବାହୁଡ଼ା ଦିନ ଏହି ପୋଡ଼ ପିଠା ମହାପ୍ରଭୁଙ୍କ ନିକଟରେ ଲାଗି ହେବା ପରେ ଏହା ମହାପ୍ରସାଦରେ ପରିଣତ ହେବ ।
ତେବେ ଆପଣ ଜାଣି ନଥିବେ ମହାପ୍ରଭୁଙ୍କର ଅତିପ୍ରିୟ ପୋଡ଼ ପିଠାକୁ ପୋଡାଯାଇ ନଥାଏ । ଏହି ପୋଡ଼ ପିଠାର ପ୍ରସ୍ତୁତି ନିଆରା । ମାଉସୀ ମା'ମନ୍ଦିରର ପୂଜକ ବିଶ୍ବନାଥ ମିଶ୍ର କହିଛନ୍ତି, ‘‘ମହାପ୍ରଭୁଙ୍କ ପାଇଁ କୌଣସି ପୋଡ଼ା ଜିନିଷ ଭୋଗ ଭାବରେ ଲାଗି ହୋଇନଥାଏ । ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଥିବା ପୋଡ଼ ପୀଠା ସ୍ବତନ୍ତ୍ର ଭାବେ ବାମ୍ପରେ ସିଝାଯାଇ ଶୁଦ୍ଧ ଘିଅରେ ଛଣା ଯାଇ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୁଏ ।
ଅଟା, ଘିଅ, ଚିନି, ଛେନା, ଲବଙ୍ଗ, ଗୁଜୁରାତି ପକାଯାଇ ତିନି ଠାକୁରଙ୍କ ପାଇଁ ଚାରିଟି ପୋଡ଼ପିଠା ପ୍ରସ୍ତୁତ ହୁଏ । ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ପୋଡ଼ପିଠା ପ୍ରସ୍ତୁତି : ପିଠା ପାଇଁ ଚାଉଳ ଚୁନା ବଦଳରେ ଅଟା ବ୍ୟବହାର କରାଯାଏ । ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ, ଦେଶୀ ଘିଅ ଆଦି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ । ଏହାକୁ ଚକଟା ଯାଇ ପୋଡ଼ପିଠା ଆକାରରେ ଚୁଲିରେ ବସାଯାଇ ବାମ୍ଫରେ ସିଝିବାକୁ ଦିଆଯାଇଥାଏ । ପ୍ରାୟ ୮ ଘଣ୍ଟା ବାମ୍ଫରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଆଯାଇଯାଏ । ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ । ପରେ ତିନି ଠାକୁରଙ୍କୁ ତିନିଟି କୁଡୁଆରେ ସମର୍ପଣ କରାଯାଇଥାଏ । ଯଦିଓ ଏହାର ନାମ ପୋଡ଼ ପିଠା ରହିଛି ଏହାକୁ କିନ୍ତୁ ପୋଡ଼ାଯାଏ ନାହିଁ । ଏହାକୁ ବାମ୍ଫରେ ସିଝାଯାଇ ଦେଶୀ ଘିଅରେ ଛଣାଯାଇ ପ୍ରସ୍ତୁତ କରାଯାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।