ନିଜ ଜନ୍ମଦିନ ପାର୍ଟିରେ ସ୍ୱାମୀଙ୍କୁ ହତ୍ୟା
ବାଲେଶ୍ୱର : ପବିତ୍ର ବୈବାହିକ ସମ୍ପର୍କରେ କଳଙ୍କ । ଜନ୍ମଦିନ ପାର୍ଟିରେ ସ୍ୱାମୀଙ୍କୁ ହତ୍ୟା ପାଇଁ ଭୟଙ୍କର ଷଡଯନ୍ତ୍ର । ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ନିଜେ ସ୍ତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁ । ସମସ୍ତଙ୍କୁ ଚକିତ କଲା ଭଳି ଏଭଳି ଘଟଣା ଗୁରୁବାର ବିଳମ୍ବିତ ରାତିରେ ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ନିକଟସ୍ଥ ବିଜୁ ପଟ୍ଟନାୟକ କଲୋନୀରେ ଘଟିଛି । ମୃତକ ହେଲେ ରଶ୍ମିରଞ୍ଜନ ସେଠୀ (୩୮) । ତାଙ୍କ ଘର ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ଥାନା ଅନ୍ତର୍ଗତ ଅଁଳା ଗ୍ରାମରେ । ରଶ୍ମିରଞ୍ଜନ କଟକ ଡିଭିଜନ୍ ଅନ୍ତର୍ଗତ ଆର୍ ଆଣ୍ଡ ବି ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସ୍ତ୍ରୀର ଜନ୍ମଦିନରେ ତାଙ୍କୁ ଖୁସି କରିବା ପାଇଁ ହଠାତ୍ ଘରେ ପହଞ୍ଚିଥିବା ସ୍ୱାମୀଙ୍କୁ ଏହାର ବଡ଼ ମୂଲ୍ୟ ଚୁକାଇବାକୁ ପଡ଼ିଛି। ପରକୀୟା ପ୍ରୀତିରେ ଅନ୍ଧ ସାଜିଥିବା ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଖେଳାଇ ଦେଇଛି
ଘଟନାନୁସାରେ, ଜଗତସିଂହପୁର ଜିଲ୍ଲାର ରଶ୍ମିରଂଜନ ସେଠୀ ୨୦୨୩ରେ ଭୁବନେଶ୍ୱର ହଂସପାଳ ଅଞ୍ଚଳର ରଶ୍ମିରେଖା ଭୂୟାଁଙ୍କୁ ପ୍ରେମ ବିବାହ କରିଥିଲେ । ରଶ୍ମିରେଖା ପୂର୍ବରୁ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ କାମ କରୁଥିବା ବେଳେ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏନ୍ଏଚ୍ଏମ୍ରେ କାର୍ଯ୍ୟ କରୁଛନ୍ତି । ତେବେ କରଞ୍ଜିଆରେ କାର୍ଯ୍ୟରତ ଥିବାବେଳେ ରଶ୍ମିରେଖାଙ୍କର ଦେବାଶିଷ ସ୍ୱାଇଁ ନାମକ ଜଣେ କର୍ମଚାରୀଙ୍କ ସହ ଅନୈତିକ ସମ୍ପର୍କ ଥିଲା । ଏହାକୁ ରଶ୍ମିରେଖାଙ୍କ ସ୍ୱାମୀ ରଶ୍ମିରଞ୍ଜନ ବିରୋଧ କରିବାରୁ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଏହି ଘଟଣା ନେଇ ଚୁପ୍ ରହିବାକୁ ରଶ୍ମିରଞ୍ଜନଙ୍କୁ ଧମକ ଦିଆଯାଇଥିଲା । ପରିବାର ଏହା ଜାଣିବା ପରେ ପୁରୁଷ ବନ୍ଧୁଙ୍କ ସହ ମିଳାମିଶା ନ କରିବା ପାଇଁ ରଶ୍ମିରେଖାଙ୍କୁ କହିଥିଲେ । ପ୍ରାୟ ୬ ମାସ ପୂର୍ବରୁ ରଶ୍ମିରେଖା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବଦଳି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ସଙ୍ଗରେ ହୋଇଥିଲା । କିନ୍ତୁ ଏ ବିଷୟରେ ରଶ୍ମିରଂଜନ ଅଜ୍ଞ ଥିଲେ । ଏହି ସମୟରେ ଗତ ବୁଧବାର ଦିନ ରଶ୍ମିରେଖାଙ୍କର ଜନ୍ମଦିନ ଥିବାରୁ ହଠାତ ତାଙ୍କୁ ସରପ୍ରାଇଜ ଦେବାକୁ ବାଲେଶ୍ୱରରେ ରଶ୍ମିରେଖା ରହୁଥିବା ଘରେ ଆସି ପହଞ୍ଚି ଥିଲେ ସ୍ୱାମୀ ରଶ୍ମି ରଞ୍ଜନ । ମାତ୍ର ସେଠାରେ ପତ୍ନୀଙ୍କ ପୁରୁଷ ବନ୍ଧୁ ଦେବାଶିଷଙ୍କୁ ଦେଖି ବଚସା ହୋଇଥିଲା । ଘଟଣା ପରେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପତ୍ନୀ ଏବଂ ପ୍ରେମିକ ଦେବାଶିଷ ମିଳିତ ଭାବେ ସ୍ୱାମୀଙ୍କୁ ହତ୍ୟା କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସହଦେବଖୁଣ୍ଟା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଏକ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ମୃତକଙ୍କ ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦାବି କରୁଥିବା ବେଳେ, ପୋଲିସ ଅଭିଯୁକ୍ତ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପରକୀୟା ପ୍ରୀତି ହିଁ ଏହି ଜଘନ୍ୟ ଅପରାଧର ମୂଳ କାରଣ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କିପରି ହେଲା ସେନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।