ଗୋଡ ତଳେ ପଡି ମାଗିଥିଲେ କ୍ଷମା

Jul 03, 2026 - 15:40
ଗୋଡ ତଳେ ପଡି ମାଗିଥିଲେ କ୍ଷମା

 

ରିଆଲିଟି ଶୋ' 'ଲକ୍ ଅପ୍'ରେ ନଜର ଆସୁଥିବା ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଅହୁଜା ନିଜ ଭଣଜା କୃଷ୍ଣା ଅଭିଷେକ ଓ କଶ୍ମୀରା ଶାହଙ୍କ ସହ ହୋଇଥିବା ପ୍ୟାଚ୍-ଅପ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଶୋ'ର ଜଣେ ସହ-ପ୍ରତିଯୋଗୀଙ୍କ ସହ କଥା ହେବା ବେଳେ ସୁନୀତା କହିଛନ୍ତି ଯେ, ଏକ କୁକିଙ୍ଗ୍ ଶୋ' 'ଲାଫ୍ଟର ଶେଫ୍ସ' ସେଟ୍ରେ ୧୫ ବର୍ଷର ପୁରୁଣା ବିବାଦର ଅନ୍ତ ଘଟିଛି । ଏଠାରେ କଶ୍ମୀରା ତାଙ୍କ ଗୋଡ଼ ତଳେ ପଡ଼ି କାନ୍ଦି କାନ୍ଦି କ୍ଷମା ମାଗିବା ପରେ ସେ ମଧ୍ୟ ଭାବୁକ ହୋଇପଡ଼ିଥିଲେ । ଅନ୍ୟପଟେ ଏହି ବୟାନ ଉପରେ ପ୍ରତିକ୍ରିୟା ଦେଇ କୃଷ୍ଣା ଓ କଶ୍ମୀରା କହିଛନ୍ତି ଯେ ସେମାନେ 'ଲକ୍ ଅପ୍' ଶୋ' ଦେଖୁଛନ୍ତି ଏବଂ ସୁନୀତା ସେଠାରେ ବହୁତ ଭଲ ଖେଳୁଛନ୍ତି । ପରିବାର ମଧ୍ୟରେ ଏଭଳି କଥାବାର୍ତ୍ତା ସ୍ୱାଭାବିକ । ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ କଶ୍ମୀରାଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ ଏହି ପାରିବାରିକ ବିବାଦ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ପରୋକ୍ଷରେ ଗୋବିନ୍ଦାଙ୍କୁ ଟାର୍ଗେଟ୍ କରିଥିଲେ। ଏହା ପରେ ସୁନୀତା କଶ୍ମୀରାଙ୍କୁ 'ଖରାପ ବୋହୂ' ବୋଲି ଆକ୍ଷେପ କରିଥିବା ବେଳେ କଶ୍ମୀରା ମଧ୍ୟ ସୁନୀତାଙ୍କ ପରିଚୟକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହି ତିକ୍ତତା ଯୋଗୁଁ କୃଷ୍ଣା 'ଦ କପିଲ ଶର୍ମା ଶୋ'ର ଏକ ବିଶେଷ ଏପିସୋଡ୍ରୁ ନିଜକୁ ଦୂରେଇ ରଖିଥିଲେ । ଦୀର୍ଘ ବର୍ଷର ଏହି ମନୋମାଳିନ୍ୟ ଏବେ  କଶ୍ମୀରାଙ୍କ କ୍ଷମା ପ୍ରାର୍ଥନା ପରେ ଶେଷ ହୋଇଥିବା ଜଣାପଡ଼ିଛି ।