କକ୍ରୋଚ ଜନତା ପାର୍ଟିରେ ସାମିଲ ହେବେ ସୋନମ ୱାଙ୍ଗଚୁକ? ଜୁନ ୬କୁ ନେଇ କଲେ ବଡ଼ ଘୋଷଣା

Jun 03, 2026 - 02:40

ନୂଆଦିଲ୍‌ଲୀ,୨।୬: ଜଣାଶୁଣା ପରିବେଶବିତ୍‌ ତଥା ଶିକ୍ଷାବିତ୍‌ ସୋନମ ୱାଙ୍ଗଚୁକ ଏବେ ଦେଶର ଯୁବପିଢ଼ିଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଆସନ୍ତା ଜୁନ ୬ ତାରିଖରେ ଦେଶର ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ‘କକ୍ରୋଚ ଜନତା ପାର୍ଟି’ (CJP) ର ବଡ଼ ବିକ୍ଷୋଭ ପ୍ରଦର୍ଶନରେ ସେ ନିଜେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି।

ସୋସିଆଲ ମିଡିଆରେ ଏକତ୍ସ଼୍ବତନ୍ତ୍ର ଭିଡିଓ ବାର୍ତ୍ତା ଜାରି କରି ସୋନମ ୱାଙ୍ଗଚୁକ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଆସନ୍ତା ଜୁନ ୫ ତାରିଖ ସୁଦ୍ଧା ସରକାର କୌଣସି ପଦକ୍ଷେପ ନିଅନ୍ତି ନାହିଁ, ତେବେ ଜୁନ ୬ରେ ସେ ଦିଲ୍ଲୀରେ ପହଞ୍ଚି ଯୁବପିଢ଼ିଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଧାରଣାରେ ବସିବେ। ଏଥିସହିତ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ମେ ୧୫ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ଏକ ମାମଲାର ଶୁଣାଣି ବେଳେ ବେକାର ଯୁବପିଢ଼ିଙ୍କୁ ‘କକ୍ରୋଚ’ (ଅସରପା) ଏବଂ ସମାଜର ପରଜୀବୀ ବୋଲି ସମ୍ୱୋଧନ କରିଥିଲେ। ଏହି ବୟାନକୁ ବିରୋଧ କରି ଅଭିଜିତ ଦୀପେକେ ନାମକ ଜଣେ ଯୁବକ ମେ ୧୬ରେ ବ୍ୟଙ୍ଗାତ୍ମକ ଶୈଳୀରେ ‘କକ୍ରୋଚ ଜନତା ପାର୍ଟି’ ଆରମ୍ଭ କରିଥିଲେ। ମାତ୍ର କିଛି ଦିନ ଭିତରେ ଏହି ଅନଲାଇନ ଆନ୍ଦୋଳନ ସାରା ଦେଶରେ ବ୍ୟାପି ଯାଇଥିଲା ଏବଂ ଇନଷ୍ଟାଗ୍ରାମରେ ଏହାର ଫଲୋଅର୍ସ ସଂଖ୍ୟା ୨ କୋଟି ଟପି ସରିଛି। ନିଟ (NEET) ପରୀକ୍ଷା ଦୁର୍ନୀତି ଏବଂ CBSE ର ବିଭିନ୍ନ ବିବାଦକୁ ନେଇ ଏହି ସଂଗଠନ ଏବେ ଆନ୍ଦୋଳନ ଚଳାଇଛି।

ସୋନମ ୱାଙ୍ଗଚୁକ ପୂର୍ୱରୁ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରି ନିଜକୁ ଜଣେ ‘ଅନରାରୀ କକ୍ରୋଚ’ ବା ସମ୍ମାନିତ ଅସରପା ବୋଲି କହିଥିଲେ। ଭିଡିଓରେ ସେ କହିଛନ୍ତି, ଯେତେବେଳେ ଏକ ଗଣତାନ୍ତ୍ରିକ ଦେଶରେ ଦେଶର କୋଟି କୋଟି ଯୁବପିଢ଼ି ଓ ସେମାନଙ୍କ ଭବିଷ୍ୟତ ସହ ଖେଳାଯାଏ, ସେତେବେଳେ ଯେକୌଣସି ଆତ୍ମସମ୍ମାନୀ ମନ୍ତ୍ରୀଙ୍କୁ ନିଜ ପଦରୁ ଇସ୍ତଫା ଦେଇଦେବା ଉଚିତ। ଆମ ଦେଶର ଯୁବପିଢ଼ି ପଥରମାଡ଼ କିମ୍ୱା ହିଂସା ନକରି ବେଶ ସୃଜନଶୀଳ ଓ ବ୍ୟଙ୍ଗାତ୍ମକ ଶୈଳୀରେ (Satire) ନିଜର ଦୁଃଖ ପ୍ରକାଶ କରୁଛନ୍ତି। ସରକାର ସେମାନଙ୍କ ସ୍ୱରକୁ ଚାପି ନଦେଇ ସେମାନଙ୍କ କଥା ଶୁଣିବା ଉଚିତ।

ୱାଙ୍ଗଚୁକ ଆହୁରି ମଧ୍ୟ କହିଛନ୍ତି ଯେ ସେ CJP ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କ ପାଖରେ ଥିବା ଡାଟା ଯାଞ୍ଚ କରିଛନ୍ତି। ସେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଯେ ଏହି ଆନ୍ଦୋଳନ ପଛରେ କୌଣସି ବିଦେଶୀ ଶକ୍ତିର ହାତ ନାହିଁ, ବରଂ ଏହା ଦେଶର ଦେଶପ୍ରେମୀ ଯୁବପିଢ଼ିଙ୍କ କ୍ଷୋଭର ଏକ ବାସ୍ତବ ପ୍ରତିଫଳନ।

 

The post କକ୍ରୋଚ ଜନତା ପାର୍ଟିରେ ସାମିଲ ହେବେ ସୋନମ ୱାଙ୍ଗଚୁକ? ଜୁନ ୬କୁ ନେଇ କଲେ ବଡ଼ ଘୋଷଣା appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।